ଗୁରୁବାର ପୌର ନିର୍ବାଚନ, ବିଏମସିରେ ୭୦୫ ବୁଥ୍
ଗୁରୁବାର ପୌର ନିର୍ବାଚନ, ବିଏମସିରେ ୭୦୫ ବୁଥ୍
ଭୁବନେଶ୍ୱର: ବିଏମସି ନିର୍ବାଚନ ପାଇଁ ଉଭୟ ମେୟର ଓ କର୍ପୋରେଟର ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ ଗତକାଲି ଶେଷ ହୋଇଛି । ଏହା ଭିତରେ ମତଦାନ ନିମନ୍ତେ କାର୍ୟ୍ୟ ତ୍ୱରାନ୍ୱିତ କରାଯାଇଛି । ମୋଟ ୬୭ ୱାର୍ଡ ପାଇଁ ୭୦୫ ବୁଥ୍ କରାଯାଇଥିବାବେଳେ ପ୍ରତି ବୁଥରେ ଜଣେ ଲେଖାଏଁ ପ୍ରିଜାଇଡିଂ ଅଧିକାରୀ ଓ ୪ ପୁଲିଂ ଅଧିକାରୀ ନିୟୋଜିତ ରହିବେ । ଏନେଇ ମୋଟ ୩୮୦୦ ଅଧିକାରୀ ମତଦାନ ପରିଚାଳନାରେ ସହଯୋଗ କରିବେ । ଏହାସହିତ ପ୍ରତି ବୁଥରେ ଜଣେ ଲେଖାଏଁ ପୁଲିସ୍ ଅଧିକାରୀ ନିୟୋଜିତ ରହିବେ । ୧୨୮ଟି କ୍ଲଷ୍ଟର ରହିଥିବାବେଳେ ଏଠାରେ ପୁଲିସ୍ ଅଧିକାରୀ ତଦାରଖ କରିବେ ।
ସୁରକ୍ଷା ଦୃଷ୍ଟିରୁ ୫୫ଟି ମୋବାଇଲ ଭ୍ୟାନ୍ ପଇଁତରା ମାରିବ । ଆଜି ସକାଳ ୭ରୁ ଷ୍ଟ୍ରଙ୍ଗରୁମରୁ ଇଭିଏମ୍ ଏବଂ ଆନୁଷଙ୍ଗିକ ଆସବାବପତ୍ର ବୁଥକୁ ଦିଆଯାଉଛି । ଏଥିନିମନ୍ତେ ବିଜେବି ମହାବିଦ୍ୟାଳୟ ପଡିଆରେ ୩୩ଟି କେନ୍ଦ୍ର କରାଯାଇଛି ।
ପ୍ରତି ଦୁଇ ବୁଥ୍ ପାଇଁ ଗୋଟିଏ ଲେଖାଏଁ କେନ୍ଦ୍ର କରାଯାଇଛି । ମୋଟ୍ ୩୩୬ ଗାଡି ରଖାଯାଇଛି, ଯେଉଁଥିରେ ଅଧିକାରୀମାନେ ବୁଥକୁ ଯିବେ । ସନ୍ଧ୍ୟା ସୁଦ୍ଧା ଇଭିଏମ୍ ଏବଂ ପରିଚାଳନା ଅଧିକାରୀ ବୁଥରେ ପହଞ୍ଚିବେ । ଇଭିଏମ୍ ପ୍ରଦାନ ସହିତ ଏହାର ଟ୍ୟାଗିଂ ଓ ଅନ୍ୟାନ୍ୟ କାର୍ୟ୍ୟର ସୁପରିଚାଳନା ନିମନ୍ତେ ପ୍ରାୟ ୨୫୦ କର୍ମଚାରୀ ୩୩କେନ୍ଦ୍ରରେ ରହିବେ ବୋଲି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସୂତ୍ରରୁ ଜଣାପଡିଛି ।




admin 