ଗିରଫ ଭୟରେ ବାବୁସାନ

ଗିରଫ ଭୟରେ ବାବୁସାନ


କଟକ: ପାରିବାରିକ ବିବାଦରେ ଛନ୍ଦି ହୋଇ ଅପଦସ୍ତ ହୋଇଥିବା ଅଭିନେତା ବାବୁସାନଙ୍କୁ ଏବେ ଘାରିଛି ଗିରଫଦାରୀର ଭୟ । ନିଜ ଗରିଫଦାରୀକୁ ଏଡ଼ାଇବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଅଭିନେତା ବାବୁସାନ ମହାନ୍ତି । ବାବୁସାନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ହୋଇଥିବା ମାମଲାରେ ଗିରଫଦାରୀର ଭୟ ଥିବାରୁ ବାବୁସାନ ଏହି ଆବେଦନ କରିଛନ୍ତି । ତୃପ୍ତି ଶତପଥୀ ଖାରବେଳ ନଗର ଥାନାରେ ଦାଖଲ କରିଥିବା ମାମଲାରେ ସେ ତାଙ୍କ ସ୍ବାମୀଙ୍କ ଦ୍ବାରା ନିର୍ୟ୍ୟାତିତ ହୋଇଥିବା ଅଭିଯୋଗ କରିଛନ୍ତି । ଏହା ସହିତ ବାବୁସାନ ତାଙ୍କୁ ଧମକ ଚମକ ଦେଉଥିବା କଥା ମଧ୍ୟ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଫଳସ୍ବରୂପ ପୋଲିସ ବାବୁସାନଙ୍କ ବିରୋଧରେ ଘରୋଇ ହିଂସା ଓ ଧମକ ଦେବାରେ ଏକ ମାମଲା ରୁଜୁ କରିଛି ।


ବାବୁସାନଙ୍କ ବିରୋଧରେ ଲାଗିଥିବା ଦୁଇଟି ଯାକ ଦଫା ଜାମିନ ବିହୀନ ରହିଛି । ଏହି ଧାରାରେ ପୋଲିସ ପାଖରେ ଗିରଫଦାରୀର କ୍ଷମତା ଥିବାରୁ ଏହାକୁ ଦେଖି ବାବୁସାନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ତେବେ ବାବୁସାନଙ୍କ ଦ୍ବାରା ହୋଇଥିବା ଏହି ଜାମିନ ଆବେଦନର ଶୁଣାଣି ଅତି କମ୍‌ରେ ଦୁଇ ସପ୍ତାହରୁ ଅଧିକ ସମୟ ଲାଗିବ ବୋଲି ଜଣା ପଡ଼ିଛି । ଯେକୌଣସି ସମୟରେ ପୋଲିସ ବାବୁସାନଙ୍କୁ ନୋଟିସ ଜାରି କରି ଜେରା କରିବା ପାଇଁ ଥାନାକୁ ଡାକି ପାରେ ବୋଲି ଜଣା ପଡ଼ିଛି ।