ଖୋଲିଲା ଖଣ୍ଡାଧାର ଜଳପ୍ରପାତ
ଖୋଲିଲା ଖଣ୍ଡାଧାର ଜଳପ୍ରପାତ
admin
Dec 28, 2020 - 12:26
Updated: Dec 28, 2020 - 12:26
ସୁନ୍ଦରଗଡ଼ : ଏବେ ପର୍ୟ୍ୟଟନ ଋତୁ ଆରମ୍ଭ ହୋଇଯାଇଛି । କୋଭିଡ କଟକଣା ଯୋଗୁ ଦୀର୍ଘ ମାସ ହେଲା ଘରର ୪ କାନ୍ଥ ମଧ୍ୟରେ ଏକ ଅଜଣା ଭୟରେ ଦିନ କାଟିଥିବା ଲୋକେ ଏବେ ପ୍ରକୃତିମୁହାଁ ହୋଇଛନ୍ତି। ରାଜ୍ୟରେ ଧିରେ ଧିରେ କୋଭିଡ଼ କଟକଣା ଉଠୁଥିବା ବେଳେ ପର୍ୟ୍ୟଟନସ୍ଥଳୀଗୁଡ଼ିକୁ ମଧ୍ୟ କଟକଣାମୁକ୍ତ କରାଯାଉଛି ।
ଫଳରେ ପୂର୍ବରୁ ରାଜ୍ୟର ବିଭିନ୍ନ ପର୍ୟ୍ୟଟନସ୍ଥଳୀ ଖୋଲିଥିବା ବେଳେ ଆଜିଠୁ ପର୍ୟ୍ୟଟକଙ୍କ ଲାଗି ଖୋଲିଲା ଖଣ୍ଡାଧାର ଜଳପ୍ରପାତ। ସେଠାରେ ପ୍ରକୃତିର ଅପରୂପ ସୌନ୍ଦର୍ୟ୍ୟର ମଜା ନେଇପାରିବେ ପର୍ୟ୍ୟଟକ। ତେବେ ସେଠାରେ ଭୋଜି ଭାତ ମନା । ଫଳରେ ପାହାଡ଼ପ୍ରକୃତି ଘେରା ମନୋରମ ପରିବେଶରେ ବୁଲି ଶେଷରେ ଖାଲିରେ ଘରକୁ ଫେରିବେ ପର୍ୟ୍ୟଟକ।ବଣାଇ ଡିଏଫଓ କହିଛନ୍ତି, ଖଣ୍ଡାଧାର ଆସୁଥିବା ପର୍ୟ୍ୟଟକଙ୍କ ଉପରେ ନଜର ରଖାଯିବ । କାହାକୁ ବି ଏହି ଅଞ୍ଚଳରେ ଭୋଜିଭାତ କରିବାକୁ ଦିଆଯିବନି। ସେପଟେ ପୂର୍ବ ଭଳି ଏଠାରେ ପର୍ୟ୍ୟଟକଙ୍କ ପ୍ରବେଶ ଓ ଗାଡି ପାଇଁ ଫି ଆଦାୟ କରାଯିବ। କରୋନା ପାଇଁ ଦୀର୍ଘ ମାସ ହେବ ଜଳପ୍ରପାତ ବନ୍ଦ ରହିଥିଲା। ଏବେ କରୋନା ପ୍ରକୋପ ସାମାନ୍ୟ କମିବା ପରେ ଧିରେ ଧିରେ ପର୍ୟ୍ୟଟନ ସ୍ଥଳିଗୁଡ଼ିକ ଖୋଲାଯାଉଛି । ପର୍ୟ୍ୟଟନସ୍ଥଳୀରେ କୋଭିଡ୍ ଗାଇଡ୍ ଲାଇନ୍ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି । ସୂଚନାଯୋଗ୍ୟ, ଗତ ୮ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଇକୋ ରିଟ୍ରିଟ୍ ଆରମ୍ଭ ହୋଇଛି। ଫେବୃୟାରୀ ୨୮ତାରିଖ ପର୍ୟ୍ୟନ୍ତ ରାଜ୍ୟର ୫ଟି ସ୍ଥାନ କୋଣାର୍କ, ହୀରାକୁଦ, ଭିତରକନିକା, ଦାରିଙ୍ଗିବାଡ଼ି ଓ ସାତକୋଶିଆରେ ଏହି କାର୍ୟ୍ୟକ୍ରମ ଚାଲିବ। ଏହି ୩ମାସିଆ ପର୍ୟ୍ୟଟନ କାର୍ୟ୍ୟକ୍ରମ ପାଇଁ ଅନଲାଇନରେ ବୁକିଂ ସୁବିଧା ମଧ୍ୟ ଅଛି। କୋଭିଡ୍ ପ୍ରୋଟୋକଲକୁ ପାଳନ କରି ଏହି ପର୍ୟ୍ୟଟନ କାର୍ୟ୍ୟକ୍ରମ କରାଯିବ । ସମ୍ପୃକ୍ତ ଜିଲ୍ଲା ପ୍ରଶାସନଗୁଡ଼ିକ ଏହି କାର୍ୟ୍ୟକ୍ରମର କାର୍ୟ୍ୟାନ୍ୱୟନ ନିମନ୍ତେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାର ପର୍ୟ୍ୟଟନ ବିବିଧତାକୁ ଅନ୍ୱେଷଣ କରିବାର ଏହା ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।