କ୍ୟାବିନେଟରେ ସଂକଳ୍ପ, ନିର୍ଦ୍ଦେଶ କଡ଼ାକଡ଼ି ପାଳନ ହେବ ।
କ୍ୟାବିନେଟରେ ସଂକଳ୍ପ, ନିର୍ଦ୍ଦେଶ କଡ଼ାକଡ଼ି ପାଳନ ହେବ ।
admin
Jun 19, 2020 - 10:03
Updated: Jun 19, 2020 - 10:03
ଭୁବନେଶ୍ୱର: ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିର୍ଦ୍ଦେଶାବଳୀ କଡ଼ାକଡ଼ି ଅନୁପାଳନ ସହିତ ସବୁ ରୀତିନୀତି ପାଳନ କରାଯିବ । ଗୁରୁବାର ରାତିରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଜରୁରୀ ବୈଠକରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ବିସ୍ତୃତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ କ୍ୟାବିନେଟରେ ସଂକଳ୍ପ ଗୃହୀତ ହେବା ପରେ ଏ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ନିଷ୍ପତ୍ତି ପ୍ରତ୍ୟେକ ଓଡ଼ିଆ ଏବଂ ଜଗନ୍ନାଥପ୍ରେମୀଙ୍କୁ ନିଶ୍ଚୟ ଦୁଃଖ ଦେବ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ଆତ୍ମା, ଏ ଜାତିର ସର୍ବଶ୍ରେଷ୍ଠ ପରିଚୟ । ପ୍ରତ୍ୟେକ ଓଡ଼ିଆର ସୁଖଦୁଃଖରେ ପଥପ୍ରଦର୍ଶକ । ସମଗ୍ର ମାନବ ସମାଜ କଲ୍ୟାଣ ପାଇଁ ସେ ଦାରୁବ୍ରହ୍ମ ରୂପରେ ଲୀଳା କରୁଛନ୍ତି । ସେହି ଲୀଳାମୟ ହିଁ ସବୁର କର୍ତ୍ତା, ସବୁର ନିୟନ୍ତା, ଆମେ କେବଳ ନିମିତ୍ତ ମାତ୍ର । ତାଙ୍କ ଇଚ୍ଛା ବିନା କିଛି ବି ସମ୍ଭବ ନୁହେଁ । ମହାପ୍ରଭୁଙ୍କ ଇଚ୍ଛାକୁ ସମର୍ପିତ ଭାବରେ ଗ୍ରହଣ କରି ଜୀବନର ଜୟଯାତ୍ରାକୁ ଆଗେଇ ନେବା ହିଁ ପ୍ରକୃତ ଭକ୍ତି । ଆଜିର ଏହି କଠିନ ପରିସ୍ଥିତିରେ ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ଲଢ଼ୁଛି, ଆମେ ତାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେଇଛୁ । ମହାପ୍ରଭୁ ଶ୍ରୀଜଗନ୍ନାଇ ଏହି ବିପଦରୁ ଆମ ସମସ୍ତଙ୍କୁ ରକ୍ଷା କରନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ଜରୁରୀ କ୍ୟାବିନେଟ ବୈଠକରେ ଆଇନମନ୍ତ୍ରୀ ପ୍ରତାପ ଜେନା ରଥଯାତ୍ରା ସଂକ୍ରାନ୍ତରେ ଏକ ସଂକଳ୍ପ ଆଗତ କରିଥିଲେ । ରାଜ୍ୟ ଆଡଭୋକେଟ ଜେନେରାଲ ଅଶୋକ ପରିଜା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ୟାବିନେଟକୁ ଅବଗତ କରାଇଥିଲେ । ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିର୍ଦ୍ଦେଶାବଳୀର ଅନୁପାଳନ ସହିତ ସବୁରୀତି ନୀତି ପାଳନ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ କୁହାଯାଇଛି । ଏଥିସହିତ ବିଭିନ୍ନ ଜାଗାରେ ଥିବା ପରିଚାଳନା କମିଟି ଓ ଅନୁଷ୍ଠାନ ଗୁଡ଼ିକ ଯେପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ତାହା ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭାରତର ସରକାରଙ୍କ ଗତ ମେ ୩୦ ତାରିଖରେ ନିର୍ଦ୍ଦେଶ, ଓଡ଼ିଶା ସରକାରଙ୍କ ଜୁନ ୧ ତାରିଖ ନିର୍ଦ୍ଦେଶ ଏବଂ କୋଭିଡ-୧୯ ପରିଚାଳନା ପାଇଁ ରାଷ୍ଟ୍ରୀୟ ସ୍ତରର ସମସ୍ତ ନିର୍ଦ୍ଦେଶାବଳୀ ଦୃଢ଼ ଅନୁପାଳନ ସହିତ ଏହା କାର୍ଯ୍ୟକାରୀ କରାଯିବାକୁ କ୍ୟାବିନେଟର ନିଷ୍ପତ୍ତି ନିଆଯାଇଛି । ବୈଠକରେ ସଂସଦୀୟ ବ୍ୟାପାର, ଅର୍ଥ, ପରିବହନ, ଗ୍ରାମ୍ୟ ଉନୟନ ଓ ଖାଦ୍ୟ ଯୋଗାଣ ବିଭାଗର ମନ୍ତ୍ରୀଙ୍କ ସମତେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା, ଉନ୍ନୟନ କମିସନର, ଅର୍ଥ ବିଭାଗ ଓ ଆଇନ ବିଭାଗ ପ୍ରମୁଖ ସଚିବ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ଥିଲେ ।