କେବଳ ପୁଲିସ କର୍ମଚାରୀଙ୍କୁ ନେଇ ପାଳିତ ହେବ ସାଧାରଣତନ୍ତ୍ର ଦିବସ
କେବଳ ପୁଲିସ କର୍ମଚାରୀଙ୍କୁ ନେଇ ପାଳିତ ହେବ ସାଧାରଣତନ୍ତ୍ର ଦିବସ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆସନ୍ତା ଜାନୁୟାରୀ ୨୬ତାରିଖ ସାଧାରଣତନ୍ତ୍ର ଦିବସକୁ କେବଳ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ଅବଗତ କରାଯାଇଛି । ଚଳିତ ସାଧାରଣତନ୍ତ୍ର ଦିବସ ସମାରୋହରେ ଏନସିସି କ୍ୟାଡେଟ୍ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇପାରିବେ ନାହିଁ ବୋଲି ଗୃହ ବିଭାଗ ସ୍ପଷ୍ଟ କରିଛି ।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ କରୋନା ସଂକ୍ରମଣ ଓ ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଲୋକଙ୍କ ଭିଡ଼ ଏଡ଼ାଇବାକୁ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗୃହ ବିଭାଗ ପକ୍ଷରୁ ଚଳିତ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।ସାଧାରଣତନ୍ତ୍ର ଦିବସ ସମାରୋହ ଦିନ ଜାତୀୟ ପତାକାକୁ ମୁଖ୍ୟ ଅତିଥି ସକାଳ ସାଢ଼େ ୮ଟା ପରେ ଜାତୀୟ ସଙ୍ଗୀତ ଗାନ ସହ ଉତ୍ତୋଳନ କରିବେ । କିଏ ମୁଖ୍ୟ ଅତିଥି ହେବେ ସେ ନେଇ ଗୃହ ବିଭାଗ ପକ୍ଷରୁ ପରବର୍ତ୍ତୀ ସମୟରେ ଅବଗତ କରାଯିବ । ଏହି ସମାରୋହରେ କେବଳ ପୁଲିସ କର୍ମଚାରୀମାନେ ସାମିଲ ହେବେ । ସାଧାରଣ ଲୋକଙ୍କୁ ଏହି ସମାରୋହରେ ସାମିଲ ପାଇଁ ଅନୁମତି ମିଳିବ ନାହିଁ । ଇ-ନିମନ୍ତ୍ରଣ ମଶଧ୍ୟମରେ ସମାରୋହକୁ ସର୍ବନିମ୍ନ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ ।
ଏହି ଅତିଥିଙ୍କ ମଧ୍ୟରେ କୋଭିଡ୍ ଯୋଦ୍ଧା ଯଥା ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ପରିମଳ କର୍ମଚାରୀ ସାମିଲ ରହିବେ । ସମାରୋହରେ ସାମିଲ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବେ । ସମାରୋହସ୍ଥଳକୁ ଠିକ୍ ଭାବେ ସାନିଟାଇଜ୍ କରାଯିବ ଓ ପ୍ରବେଶ ପଥରେ ହାତ ସଫା ପାଇଁ ସାନିଟାଇଜର ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।




admin 