କାରାଗାରରେ ଦୁଇ କଏଦୀ ଗ୍ୟାଙ୍ଗ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ୬୮ ମୃତ

କାରାଗାରରେ ଦୁଇ କଏଦୀ ଗ୍ୟାଙ୍ଗ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ୬୮ ମୃତ

କ୍ବିଟୋ: କାରାଗାରେ ହୋଇଛି ରକ୍ତାକ୍ତ ସଂଘର୍ଷ। ଦୁଇ ଗୋଷ୍ଠୀର କଏଦୀଙ୍କ ମଧ୍ୟରେ ହୋଇଛି ଏହି ସଂଘର୍ଷ। ଇକ୍ବାଡୋର ଗ୍ବାୟାକ୍ବିଲ  ସହରସ୍ଥିତ ବୃହତ୍ କାରାଗାର ଭିତରେ ରକ୍ତର ହୋଲି ଖେଳିଲେ ଦୁଇ କଏଦୀ ଗ୍ୟାଙ୍ଗ। ଦୁଇ ଗ୍ୟାଙ୍ଗ ମଧ୍ୟରେ ପ୍ରବଳ ଗୁଳିମାଡ଼ ଯୋଗୁଁ ଅତିକମରେ ୬୮ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଛି ଏବଂ ୨୫ରୁ ଅଧିକ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରୁ ହିଂସାକାଣ୍ଡ ଆରମ୍ଭ ହୋଇ ଶନିବାର ସକାଳ ଯାଏଁ ଚାଲିଥିଲା । ପ୍ରାୟ ୮ ଘଣ୍ଟା ଧରି ଜେଲ ମଧ୍ୟରେ ଫୁଟିଥିଲା ଗୁଳି । ଜେଲରେ ମୋଟ ୭୦୦ କଏଦୀ ଥିଲେ । ଦୁଇ କଏଦୀ ଗୋଷ୍ଠୀଙ୍କ ମଧ୍ୟରୁ ୬୮ ଜଣ ପ୍ରାଣ ହରାଇଛନ୍ତି । ଡ୍ରଗ୍ ଟ୍ରାଫିକିଂ ସହ ଜଡିତ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏହି ହିଂସାକାଣ୍ଡ ଘଟିଥିବା ପୋଲିସ କହିଛି । ଘଟଣାସ୍ଥଳରୁ ବହୁ ବନ୍ଧୁକ ସମେତ ବିସ୍ଫୋରକ ସାମଗ୍ରୀ ଏବଂ ବ୍ଲେଡ ଜବତ ହୋଇଛି । ପ୍ରାୟ ୯୦୦ ପୋଲିସ ଅଧିକାରୀ ଘଟଣାସ୍ଥଳରେ ମୁତୟନ ହୋଇ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ସୂଚନା ମିଳିଛି ।ବର୍ତ୍ତମାନ ସୁଦ୍ଧା ଇକ୍ବାଡୋରର ଜେଲରେ ଏଭଳି ସଂଘର୍ଷ ଘଟି ୩୦୦ ଜଣ କଏଦୀଙ୍କ ପ୍ରାଣ ଗଲାଣି । ଗତ ସେପ୍ଟେମ୍ବରରେ ଘଟିଥିବା କଏଦୀ ଗ୍ୟାଙ୍ଗଙ୍କ ହିଂସାକାଣ୍ଡ ଇକ୍ବାଡୋର ଇତିହାସର ସବୁଠୁ ବଡ ରକ୍ତିମ ଅଧ୍ୟାୟ । ଏଥିରେ ୧୧୯ ଜଣ କଏଦୀଙ୍କ ମୃତ୍ୟୁ ହୋଇଥିଲା ।