କର୍ତ୍ତବ୍ୟ ଆଗରେ ଫିକା ପଡ଼ିଛି ବାପାଙ୍କୁ ହରାଇବାର ଦୁଃଖ

କର୍ତ୍ତବ୍ୟ ଆଗରେ ଫିକା ପଡ଼ିଛି ବାପାଙ୍କୁ ହରାଇବାର ଦୁଃଖ

କର୍ତ୍ତବ୍ୟ ଆଗରେ ଫିକା ପଡ଼ିଛି ବାପାଙ୍କୁ ହରାଇବାର ଦୁଃଖ
ରାୟଗଡ଼ା: ଛାତିରେ ଛାତିଏ କୋହ ମନରେ ଅନେକ ଯାତନା ବାପାଙ୍କୁ ହରାଇବା ଦୁଃଖରେ ପୂରା ପରିବାର ମ୍ରିୟମାଣ । ଏହା ସତ୍ତ୍ୱେ ନିଜ କର୍ତ୍ତବ୍ୟରୁ ନ ଓହରି ପୂର୍ବ ଭଳି କାର୍ଯ୍ୟ ଜାରି ରଖିଛନ୍ତି ରାୟଗଡ଼ା ବନ ବିଭାଗ କର୍ମଚାରୀ ଆର ବିଜୟ କୁମାର । ସକାଳେ ବାପାଙ୍କ କ୍ରିୟାକର୍ମ ସାରି ସଂଧ୍ୟାରେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ସହରର ସୁରକ୍ଷା ଦାୟିତ୍ୱ ତୁଲାଉଛନ୍ତି । ଗୁଣପୁର ବନ ବିଭାଗ ଅଧୀନରେ କାର୍ଯ୍ୟରତ ଆର ବିଜୟ କୁମାର । କରୋନା ମୁକାବିଲା ପାଇଁ ଡେପୁଟି କମିସନର ଆସି ରାୟଗଡ଼ା ସହରରେ ସୁରକ୍ଷା ଦାୟିତ୍ୱରେ ମୁତୟନ ହୋଇଛନ୍ତି । ସହରର ଜିଲ୍ଲା ଶିଳ୍ପ କେନ୍ଦ୍ର ଛକରେ ଡ୍ୟୁଟି ଜାରି ରଖିଛନ୍ତି । ସପ୍ତାହେ ହେଲା ବିଜୟ ଡେପୁଟେସନରେ ରାୟଗଡା ଆସିଥିବା ବେଳେ ଟାଉନ ଥାନା ଅଧୀନରେ ରହି କାମ କରୁଛନ୍ତି । ମେ ୧ ତାରିଖରେ ଡ୍ୟୁଟିରେ ଥିବା ସମୟରେ ବାପା ଆର.ସି ରାଜୁ (୭୩)ଙ୍କ ପରଲୋକ ଖବର ଶୁଣିଲେ । ଦୀର୍ଘ ଦିନ ହେଲା ଶଯ୍ୟାଶାୟୀ ଥିବା ବାପାଙ୍କ ଅକାଳ ବିୟୋଗ ଖବର ପାଇବା ପରେ ବିଜୟ ଟାଉନ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କୁ ଅବଗତ କରି ଘରକୁ ଯାଇଥିଲେ । ତାଲାବନ୍ଦ ଯୋଗୁ ବିଶାଖାପାଟଣାରେ ରହୁଥିବା ସମ୍ପର୍କୀୟ ମଧ୍ୟ ରାୟଗଡ଼ାରେ ପହଞ୍ଚି ପାରିନଥିଲେ । ସାହିପଡ଼ିଶାଙ୍କ ସହଯୋଗରେ ସାମାଜିକ ଦୂରତା ରଖି ସଂଧ୍ୟାରେ ଶ୍ମଶାନରେ ବାପାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବିଜୟ ମୁଖାଗ୍ନି ଦେଇଥିଲେ । ଶେଷ କୃତ୍ୟ ପରଦିନ ହିଁ ବିଜୟ ଅର୍ଥାତ ୨ ତାରିଖରେ ପୂର୍ବବତ କାର୍ଯ୍ୟରେ ଯୋଗ ଦେଇଥିଲେ । କରୋନା ବିପତ୍ତି ସମୟରେ ଲୋକଙ୍କ ସୁରକ୍ଷା ପ୍ରଥମ କର୍ତ୍ତବ୍ୟ ହୋଇଥିବାରୁ ଛୁଟି ନ ନେଇ କାର୍ଯ୍ୟରେ ଯୋଗ ଦେଇଥିବା ବିଜୟ କହିଛନ୍ତି ।