ଓଡ଼ିଶାରେ ଲକଡାଉନ କୋହଳ କରାଯିବ

ଓଡ଼ିଶାରେ ଲକଡାଉନ କୋହଳ କରାଯିବ

ଭୁବନେଶ୍ୱର: ଯଦିଓ ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବାପେକ୍ଷା ଧୀରେ ଧୀରେ କମୁଛି, ତେବେ ମୃତୁ୍ୟ ସଂଖ୍ୟାରେ ବ୍ରେକ ଲାଗୁନି । ଅନ୍ୟପକ୍ଷରେ କରୋନାକୁ ମାତ ଦେବା ବା କରୋନା ଚେନକୁ ଭାଙ୍ଗିବା ପାଇଁ ଏବେ ରାଜ୍ୟରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ ଜାରି କରାଯାଇଛି । ତେବେ ୧୭ ପରେ ପୁଣି ଲକଡାଉନ ଅବଧିକୁ ବୃଦ୍ଧି କରାଯିବ ନା ଲକଡାଉନକୁ କୋହଳ କରାଯିବ ତାକୁ ନେଇ ଲୋକେ ଏବେ ସନ୍ଦୀହାନ ଅବସ୍ଥାରେ ରହିଛନ୍ତି । କାରଣ କରୋନା ଲକଡାଉନ ଯୋଗୁଁ ଲୋକଙ୍କ ଜୀବିକା ଏବେ ଉଜୁଡ଼ି ଯିବାକୁ ବସିଲାଣି । ତେବେ ଏବେ ରାଜ୍ୟରେ ସଂକ୍ରମଣ ହାର ୧୦ ପ୍ରତିଶତ ପାଖାପାଖି ଅଛି । ଏହି ଧାରା ଜାରି ରହିଲେ ଧୀରେ ଧୀରେ ଓଡ଼ିଶାରେ ଲକଡାଉନ କୋହଳ କରାଯିବ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର କହିଛନ୍ତି ।। ପ୍ରକାଶ ଯେ, ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୭୩୯୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ୪୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୫୨କୁ ବୃଦ୍ଧି ପାଇଛି। ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ, କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ, ଅନୁଗୁଳ, ବୌଦ୍ଧ, ଝାରସୁଗୁଡା ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, ବରଗଡ, ବଲାଙ୍ଗୀର ଓ ଦେବଗଡରୁ ୨ ଜଣ ଲେଖାଏଁ, ଗଞ୍ଜାମ, କନ୍ଧମାଳ, ନୟାଗଡ ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮ ଲକ୍ଷ ୦୬ ହଜାର ୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭୮ ହଜାର ୬୮୭ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭ ଲକ୍ଷ ୨୪ ହଜାର ୪୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୯୫୨ ଜଣଙ୍କର ମୃତ୍ୟୁ ହୋଇଛି ।