ଓଟିଏମ ମାମଲା: ରାଜ୍ୟ ସରକାର ଦେବେ ୧୧୫ କୋଟି
ଓଟିଏମ ମାମଲା: ରାଜ୍ୟ ସରକାର ଦେବେ ୧୧୫ କୋଟି
କଟକ: ଓଡିଶା ଟେକ୍ସଟାଇଲ ମିଲ୍ସ-ଓଟିଏମର ପୁନଃରୁଦ୍ଧାର ମାମଲାରେ ୧୧୫ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ୩୦ ଦିନ ମଧ୍ୟରେ ଏହି ରାଶି ଡିପୋଜିଟ କରିବା ନେଇ ଆଡଭୋକେଟ ଜେନେରାଲ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି । ତେବେ ଆସନ୍ତା ଅକ୍ଟୋବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ କରିଛନ୍ତି କୋର୍ଟ । ସେହିପରି କ୍ବାର୍ଟରଗୁଡିକରେ ବିଦ୍ୟୁତ ସଂଯୋଗ ପ୍ରସଙ୍ଗକୁ ନେଇ ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଥିଲା । ଅଫିସିଆଲ ଲିକ୍ୟୁଡେଟର କର୍ମଚାରୀଙ୍କ କଥା ଶୁଣୁନଥିବା ନେଇ ଆବେଦନକାରୀ ଅଭିଯୋଗ କରିଥିଲେ ।
କ୍ବାର୍ଟରଗୁଡିକରେ ବିଦ୍ୟୁତ ସଂଯୋଗ ନେଇ କର୍ମଚାରୀଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଅଫିସିଆଲ ଲିକ୍ୟୁଡେଟରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ଶୁଣାଣିରେ ଶ୍ରମିକମାନଙ୍କ ପ୍ରାପ୍ୟ ଏବଂ ଦେୟ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହାସହିତ ପୂର୍ବ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କମ୍ପାନୀର କେତେଜଣ କର୍ମଚାରୀଙ୍କର କେତେ ଟଙ୍କା ବକେୟା ରହିଛି ସେନେଇ ହିସାବ କିତାବ କରିବାକୁ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ଉଚ୍ଚ ନ୍ୟାୟାଳୟ କହିଥିଲେ।ଓଟିଏମ ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ୟ୍ୟାୟରେ ୩୦ କୋଟି ଟଙ୍କା ଡିପୋଜିଟ କରିଥିବା ନେଇ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରାଇଥିଲେ । ସେହିପରି ଇଡକୋ ମଧ୍ୟ ୫ କୋଟି ଟଙ୍କା ଡିପୋଜିଟ କରିଛି । କେବଳ ସେତିକି ନୁହେଁ, ଗୋଟିଏ ମିଟରରେ ୯୦ଟି କ୍ବାର୍ଟରରେ ବିଦ୍ୟୁତ ସଂଯୋଗ ହୋଇଥିବା ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଏନେଇ କୋର୍ଟ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ ।ପ୍ରତ୍ୟେକ କ୍ବାର୍ଟରକୁ ଗୋଟିଏ ଲେଖାଏଁ ମିଟର ସଂଯୋଗ କରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । କ୍ବାର୍ଟରର କର୍ମଚାରୀମାନେ ଏନେଇ ଅଫିସିଆଲ ଲିକ୍ୟୁଡେଟରଙ୍କୁ ଜଣାଇବାକୁ କହିଥିଲେ କୋର୍ଟ । ତେବେ ରାଜ୍ୟ ସରକାର ଓଟିଏମକୁ ଅଧିଗ୍ରହଣ କରିବା ନେଇ ପ୍ରସ୍ତାବ ଦେଇଥିଲେ । ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ପ୍ରାୟ ୫୨୧ ଏକର ଜମିରେ ସରକାର ଏକ ନୂତନ ପ୍ଲାଣ୍ଟ ନିର୍ମାଣ କରିପାରନ୍ତି ବୋଲି କୁହାଯାଉଥିଲା । ସୂଚନାଯୋଗ୍ୟ, ଓଟିଏମକୁ ରାଜ୍ୟ ସରକାର ଅଧିଗ୍ରହଣ କରନ୍ତୁ ବୋଲି ଆବେଦନକାରୀ କୋର୍ଟଙ୍କୁ ଆବେଦନ କରିଥିଲେ ।




admin 