ଏବେ ସମୟ ଆସିଛି କଂଗ୍ରେସ ଦଳକୁ ଓଡ଼ିଶାରେ ମଜବୁତ କରାଯିବ : ଏ. ଚେଲାକୁମାର

ଏବେ ସମୟ ଆସିଛି କଂଗ୍ରେସ ଦଳକୁ ଓଡ଼ିଶାରେ ମଜବୁତ କରାଯିବ : ଏ. ଚେଲାକୁମାର

ଏବେ ସମୟ ଆସିଛି କଂଗ୍ରେସ ଦଳକୁ ଓଡ଼ିଶାରେ ମଜବୁତ କରାଯିବ : ଏ. ଚେଲାକୁମାର

ଭୁବନେଶ୍ବର : କଂଗ୍ରେସର ପରାଜୟ କର୍ମୀଙ୍କୁ ଯେତିକି ହତୋତ୍ସାହିତ କରୁନି, କଂଗ୍ରେସ ନେତାଙ୍କ ନକରାତ୍ମକ ମନ୍ତବ୍ୟ ତା’ଠାରୁ ଅଧିକ ହତାଶ କରୁଛି। ବିଧାୟକଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତାଙ୍କ ପର୍ୟ୍ୟନ୍ତ ଯିଏ ଯାହା ପାରୁଛି ଗଣମାଧ୍ୟମରେ କହୁଛନ୍ତି। ଏହାଦ୍ବାରା ଦଳର କ୍ଷତି ହେଉଥିବାରୁ ଆଗକୁ ଏହାକୁ ଆଉ ଗ୍ରହଣ କରାଯିବନି। ଯିଏ ଦଳକୁ ଅକଳରେ ପକାଇବେ ତାଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ। କଂଗ୍ରେସର ‘ହାତକୁ ହାତ ଯୋଡ଼’ କାର୍ୟ୍ୟକ୍ରମ ଆସନ୍ତା ଜାନୁଆରି ୨୬ରୁ ଆରମ୍ଭ ହେବାକୁ ଥିବାବେଳେ ଏହାର ପ୍ରସ୍ତୁତି ବୈଠକରେ ଦଳର ତୁଙ୍ଗନେତାମାନେ ଏଭଳି ଚେତାବନୀ ଶୁଣାଇଛନ୍ତି।

ପଦ୍ମପୁର ଉପନିର୍ବାଚନରେ ‘କଂଗ୍ରେସ ଡିଲ୍‌’କୁ ‌‌ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଦଳର ବିଧାୟକ ସୁର ରାଉତରାୟ ଗଣମାଧ୍ୟମରେ କଂଗ୍ରେସ-ବିଜେଡି‌ ମଧ୍ୟରେ ଡିଲ୍‌ ହୋଇଥିବା କହିଥିଲେ। ଏହାପରେ ଦଳ ଅକଳରେ ପଡ଼ିଥିଲା। କଂଗ୍ରେସ ନେତା ଯେତେ ସଫେଇ ଦେଇଥିଲେ ବି ଆଜି ପର୍ୟ୍ୟନ୍ତ ଏହା ଥମୁନି। ତେଣୁ ଆଜିର ବୈଠକ ପରେ କଂଗ୍ରେସ ପ୍ରଭାରୀ ‌ଏ. ଚେଲାକୁମାର କହିଛନ୍ତି ଯେ ଦଳରେ ବିଶୃଙ୍ଖଳା ଓ ବିଶୃଙ୍ଖଳାକାରୀଙ୍କୁ ଆଉ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବନି। ସେମାନଙ୍କ ବିରୋଧରେ ଅତି କଠୋରରୁ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ। ଦଳ ବଡ଼, ବ୍ୟକ୍ତି ବଡ଼ ନୁହେଁ। ଆଜି ଯେଉଁମାନେ ନିଜକୁ ବହୁ ବଡ଼ ନେତା ବୋଲି କହୁଛନ୍ତି ସେମାନେ ସମସ୍ତେ କଂଗ୍ରେସ ଦଳ ଯୋଗୁଁ ଆଜି ସମାଜରେ ଏହି ସ୍ଥିତିରେ ପହଞ୍ଚିଛନ୍ତି। କଂଗ୍ରେସ ଯୋଗୁଁ ବିଧାୟକ, ସାଂସଦ ବା ମନ୍ତ୍ରୀ ଆଦି ହୋଇଛନ୍ତି। କିନ୍ତୁ ଏବେ କିଛି ଲୋକ ନିଜକୁ ଦଳ ଠାରୁ ବହୁତ ବଡ଼ ବୋଲି ଗଣମାଧ୍ୟମରେ କହି ବୁଲୁଛନ୍ତି। ଦଳ ଏବଂ ଦଳୀୟ ନେତୃତ୍ବଙ୍କୁ ଗଣମାଧ୍ୟମରେ ଏବଂ ବିଭିନ୍ନ ମାଧ୍ୟମରେ ନିନ୍ଦିତ କରୁଛନ୍ତି ବା କରିବାର ପ୍ରୟାସ କରୁଛନ୍ତି। ଏହାଦ୍ବାରା କଂଗ୍ରେସ ଦଳ ସାମୂହିକ ଭାବେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ଏପରିକି ଜନମାନସରେ କଂଗ୍ରେସ ଦଳ ପ୍ରତି ଏକ ନକରାତ୍ମକ ମନୋଭାବ ସୃଷ୍ଟି ହେଉଛି।
ଆଜି ଯେଉଁମାନେ ଦଳଠାରୁ ନିଜକୁ ଉଚ୍ଚା ଭାବୁଛନ୍ତି, ୪୦ବର୍ଷ ପୂର୍ବରୁ ସେମାନଙ୍କର ସ୍ଥିତି ଓ ସାମାଜିକ ପରିଚୟ କ’ଣ ଥିଲା ତାହା ସେମାନେ ଆତ୍ମସମୀକ୍ଷା କରିବା ଦରକାର। ଏବେ ସମୟ ଆସିଛି କଂଗ୍ରେସ ଦଳକୁ ଓଡ଼ିଶାରେ ମଜବୁତ କରାଯିବ। ଓଡ଼ିଶାର ଜନସାଧାରଣଙ୍କୁ ଦୀର୍ଘ ୨୨ ବର୍ଷର ଅତ୍ୟାଚାର ଓ କୁଶାସନ ଏବଂ କେନ୍ଦ୍ରର ଏକ ୯ ବର୍ଷର ଜନବିରୋଧୀ ସରକାରଙ୍କୁ ବରଖାସ୍ତ କରିବାପାଇଁ ସସସ୍ତ ରଣକୌଶଳ ଓ ପ୍ରଚେଷ୍ଟା କରାଯିବ। ଓଡ଼ିଶାର ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ, ଜିଲ୍ଲା ଏବଂ ବ୍ଲକସ୍ତରର ନେତୃବର୍ଗ, ରାଜ୍ୟସ୍ତରୀୟ ନେତୃବର୍ଗଙ୍କର ଆଶା, ଆକାଂକ୍ଷା, ବିଶ୍ୱାସ ଓ ଭରସାକୁ ଧୂଳିସାତ କରିବାକୁ ଦିଆଯିବନାହିଁ। ଆସନ୍ତା ଜାନୁଆରି ୨୬ରୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ବୁଥ୍‌, ଗାଁ, ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ ହାତକୁ ହାତ ଯୋଡ଼ କାର୍ୟ୍ୟକ୍ରମ ଜାରି ରଖାଯିବ। ଏହି କାର୍ୟ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ଗାଁର କଂଗ୍ରେସ କର୍ମୀ, ଜନସାଧାରଣ, ବୁଦ୍ଧିଜୀବୀ, କୃଷକ, ଆଦିବାସୀ, ଅନୁସୂଚିତ ଜନଜାତି ଏବଂ ବିଶେଷ କରି ମହିଳାଙ୍କ ସହିତ କଂଗ୍ରେସ ସିଧାସଳଖ ଯୋଡ଼ି ହେବ। ପ୍ରତ୍ୟେକ ଗାଁର କଂଗ୍ରେସ ପତାକା ଉତ୍ତୋଳନ କରାଯିବ। ଓଡ଼ିଶାର ୨୨ ବର୍ଷର ବିଜେଡ଼ି ସରକାର ଏବଂ କେନ୍ଦ୍ରରେ ୯ ବର୍ଷର ବିଜେପି ସରକାରର ସମସ୍ତ ବିଫଳତା, ଜନମାରଣନୀତି, ପ୍ରତାରଣାକୁ ଲୋକମାନଙ୍କ ପାଖରେ ରଖାଯିବ।

ଏହି କାର୍ୟ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ , ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଶରତ ରାଉତ, ସୁରେଶ କୁମାର ରାଉତରାୟ, ରମେଶ ଜେନା, ସନ୍ତୋଷ ସିଂହ ସାଲୁଜା, ରାଜନ ଏକା, ଅଧିରାଜ ମୋହନ ପାଣିଗ୍ରାହୀ, ବନ୍ଦିତା ପରିଡ଼ା, ୟାସିର ନୱାଜ, ଭୁଜବଳ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।