ଏଣିକି ହାତୀ ଉପରେ ନଜର ରଖିବ ଡ୍ରୋନ
ଏଣିକି ହାତୀ ଉପରେ ନଜର ରଖିବ ଡ୍ରୋନ
କେନ୍ଦୁଝର : ବାରମ୍ବାର ହାତୀ ମୃତ୍ୟୁ ପାଇଁ ବଦ୍ନାମ ମୁଣ୍ଡାଇଥିବା କେନ୍ଦୁଝର ଜିଲ୍ଲାରେ ଏବେ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଥର୍ମାଲ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ । ଓଡିଶାରେ ପ୍ରଥମ ଥର ପାଇଁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଗୁମୁରା ବିଟ୍ର ଚମକପୁରରେ ଏହାର ବ୍ୟବହାର କରାଯାଇଛି । ଏହି ଥର୍ମାଲ ଡ୍ରୋନ ରାତିରେ ମଧ୍ୟ ୧୦୦ ମିଟର ଉଚ୍ଚାରେ ରହି ହାତୀଙ୍କ ଗତିବିଧି ସମ୍ପର୍କରେ ସୂଚନା ଦେବ । ହାତୀ ସମେତ ବିଭିନ୍ନ ବନ୍ୟଜନ୍ତୁଙ୍କ ଶରୀର ତାପମାତ୍ରା ମଧ୍ୟ ଜଣାଇଦେବ । ଫଳରେ ହାତୀପଲ ଏବଂ ଅନ୍ୟ ବନ୍ୟଜନ୍ତୁମାନେ କେଉଁଠି ଓ କିପରି ଅଛନ୍ତି ତାହା ଜାଣିହେବ ।
ଡିଏଫ୍ଓ ଏଚ୍ଡି ଧନରାଜ ଦେଇଥିବା ସୂଚନା ଅନୁସାରେ, ପୂର୍ବରୁ କେନ୍ଦୁଝର ସମେତ ଓଡିଶାର ଅନ୍ୟ ଜିଲ୍ଲାମାନଙ୍କରେ ବନ ବିଭାଗ କର୍ମଚାରୀମାନେ ସାଧାରଣ ଡ ବ୍ୟବହାର କରୁଥିଲେ । କେନ୍ଦୁଝର ଜିଲ୍ଲାରେ ପ୍ରଥମ ଥର ପାଇଁ ଥର୍ମାଲ ଡ୍ରୋନ ବ୍ୟବହାର ଆରମ୍ଭ ହୋଇଛି । ବିଶେଷ କରି ହାତୀମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଏଭଳି ବ୍ୟବସ୍ଥା ହୋଇଛି । ଏହି ଥର୍ମାଲ ଡ୍ରୋନ୧୦୦ମିଟର ଉଚ୍ଚ ହାତୀମାନଙ୍କ ଶରୀର ତାପମାତ୍ରା ରେକର୍ଡ କରିପାରିବ । ବନ ବିଭାଗ କର୍ମଚାରୀ ହାତୀ ସଂଖ୍ୟା ନେଇ ଦେଉଥିବା ଦୈନଦିନ ରିପୋର୍ଟରେ ତାଳମେଳ ରହୁନାହିଁ । ଏହି ଡ୍ରୋନ ଦ୍ୱାରା ସଠିକ୍ ଭାବେ ହାତୀ ଗଣନା କରାଯାଇପାରିବ ବୋଲି ଶ୍ରୀ ଧନରାଜ କହିଛନ୍ତି ।
ଗତ ୨୬ ତାରିଖରେ ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଗୁମୁରା ବିଟ୍ ଚମକପୁରରେ ବନ ବିଭାଗ ପକ୍ଷରୁ ୧୦ଟି ହାତୀ ଥିବା ରିପୋର୍ଟ କରାଯାଇଥିଲା । ପରେ ସନ୍ଦେହ ହେବାରୁ ଥର୍ମାଲ ଡ୍ରୋନ ବ୍ୟବହାର କରାଯାଇଥିଲା । ଏଠାରେ ୧୮ଟି ହାତୀ ଥିବା ସ୍ପଷ୍ଟ ହୋଇଥିଲା । ଏଥିରେ ଦୁଇଟି ଦନ୍ତା, ୯ଟି ମାଈ ଏବଂ ୭ଟି ଛୁଆହାତୀ ଥିବା ଜଣାପଡିଥିଲା । ପରେ ଡ୍ରୋନ କ୍ୟାମେରା ସହାୟତାରେ ପାଟଣା ଏବଂ ଘଟଗାଁ ରେଞ୍ଜରେ ହାତୀ ଗଣନା କରାଯାଇଥିଲା । ଦୁଇ ରେଞ୍ଜରେ ୨୩ଟିକିଆ ହାତୀପଲ ଥିବା ଜଣାପଡିଥିଲା । ସେହିପରି ଏହି ଡ୍ରୋନ କ୍ୟାମେରା ଦ୍ୱାରା ଜଙ୍ଗଲରେ ଘୂରି ବୁଲୁଥିବା ଶିକାରୀଙ୍କ ଗତିବିଧି ସମ୍ପର୍କରେ ଜାଣି ହେବ । ଥର୍ମାଲ ଡ୍ରୋନ ବ୍ୟବହାର ହେବା ଓଡିଶାରେ ପ୍ରଥମ ବୋଲି ଡିଏଫ୍ଓ ଶ୍ରୀ ଧନରାଜ କହିଛନ୍ତି ।




admin 