ଏଣିକି ସିଧାସଳଖ ନିର୍ବାଚିତ ହେବେ ମେୟର

ଏଣିକି ସିଧାସଳଖ ନିର୍ବାଚିତ ହେବେ ମେୟର

ଏଣିକି ସିଧାସଳଖ ନିର୍ବାଚିତ ହେବେ ମେୟର

ଭୁବନେଶ୍ୱର : ମହାନଗର ନିଗମ ମେୟର ଓ ପୌରପାଳିକା /ଏନଏସି ଅଧ୍ୟକ୍ଷ ଆଉ ପରୋକ୍ଷ ଭାବେ ନିର୍ବାଚିତ ହେବେନି । ସେମାନଙ୍କୁ ଭୋଟରମାନେ ସିଧାସଳଖ ନିର୍ବାଚିତ କରିବେ । ୨୦୧୮ ମସିହା ସେପ୍ଟ୍ଟେମ୍ବର ମାସରେ ଏ ସଂକ୍ରାନ୍ତରେ ସଂଶୋଧିତ ଆଇନ ବିଧାନସଭାରେ ଗୃହୀତ ହୋଇଥିଲା । ପାଖାପାଖି ୩ ବର୍ଷ ପରେ ଏହି ସଂଶୋଧିତ ଆଇନ ଆଧାରରେ ପ୍ରସ୍ତୁତ ଚିଠା ନିୟମ ଗତକାଲି ଓଡ଼ିଶା ଗେଜେଟରେ ପ୍ରକାଶ କରି ସାଧାରଣ ଲୋକଙ୍କ ମତାମତ ମାଗିଛନ୍ତି ସରକାର । ୩୦ ଦିନ ଭିତରେ ନାଗରିକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ଓ ପ୍ରସ୍ତାବ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିକଟକୁ ପଠାଇପାରିବେ । ନୂଆ ବ୍ୟବସ୍ଥା ଅନୁଯାୟୀ ପୌର ନିର୍ବାଚନ ସମୟରେ କାଉନସିଲର / କର୍ପୋରେଟର ଓ ମେୟର/ ଅଧ୍ୟକ୍ଷ ପଦବି ପାଇଁ ଦୁଇଟି ସ୍ୱତନ୍ତ୍ର ଭିନ୍ନ ରଙ୍ଗର ବାଲାଟ୍ ପେପର ରହିବ । ମହାନଗର ନିଗମ/ପୌରପାଳିକା/ଏନଏସିର ଜନସଂଖ୍ୟା ଆଧାରରେ ମେୟର/ ଅଧ୍ୟକ୍ଷ ପଦବି କେଉଁ ବର୍ଗର ହେବେ ତାହା ସ୍ଥିର ହେବ । ମତଦାନ କେନ୍ଦ୍ରରେ କାଉନସିଲର/କର୍ପୋରେଟର ପାଇଁ ଗୋଟିଏ ଏବଂ ମେୟର/ଅଧ୍ୟକ୍ଷ ପାଇଁ ଆଉ ଗୋଟିଏ ଭୋଟବାକ୍ସ ରହିବ । ସୂଚନାଯୋଗ୍ୟ ଯେ ପୂର୍ବରୁ ପୌରପାଳିକା/ଏନଏସିରେ କାଉନସିଲରମାନେ ନିଜ ଭିତରୁ ଜଣଙ୍କ ଅଧ୍ୟକ୍ଷ ନିର୍ବାଚନ କରୁଥିଲେ । ସେହିପରି ମହାନଗର ନିଗମରେ କର୍ପୋରେଟରମାନେ ନିଜ ଭିତରୁ ମେୟର ନିର୍ବାଚନ କରୁଥିଲେ । ନୂଆ ଆଇନରେ ଏହି ବ୍ୟବସ୍ଥା ଉଠିଯିବ । ଦେଶର ଅନ୍ୟ କିଛି ରାଜ୍ୟ ମଧ୍ୟ ମେୟର/ଅଧ୍ୟକ୍ଷ ପଦବିରେ ସିଧାସଳଖ ନିର୍ବାଚନର ବ୍ୟବସ୍ଥା କରିଛନ୍ତି ।