ଏଣିକି ତିଆରି ହେବ ମଣିଷର ଆଭ୍ୟନ୍ତରୀଣ ଅଙ୍ଗ
ଏଣିକି ତିଆରି ହେବ ମଣିଷର ଆଭ୍ୟନ୍ତରୀଣ ଅଙ୍ଗ
admin
Jun 4, 2019 - 07:23
Updated: Jun 4, 2019 - 07:23
ମଣିଷ ଶରୀରରେ ଥିବା ଯକୃତ, ଫୁସଫୁସ ଭଳି ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ଅଙ୍ଗ ଖରାପ ହୋଇଗଲେ ତାହାକୁ ପ୍ରତିରୋପଣ କରିବାକୁ ପଡ଼ୁଥିଲା । କିନ୍ତୁ ତାହା ସହଜସାଧ୍ୟ ବ୍ୟାପାର ନୁହେଁ । କାରଣ ପ୍ରଥମତଃ ଅଙ୍ଗ ଦାନକାରୀ ବ୍ୟକ୍ତିଙ୍କ ଅଭାବ ଏବଂ ଦ୍ୱିତୀୟତଃ ଜଟିଳ ଅସ୍ତ୍ରୋପ୍ରଚାର ପଦ୍ଧତି ଯୋଗୁଁ ରୋଗୀର ଜୀବନ ବିପଦମୁକ୍ତ ହୋଇପାରେନାହିଁ । ଏଭଳି ସମସ୍ୟାକୁ ଦୂର କରିବା ଲାଗି ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଗବେଷଣା କରିବା ପରେ ଏଭଳି ଏକ ଜୈବିକ ପଦାର୍ଥ ପ୍ରସ୍ତୁତ କରିଛନ୍ତି, ଯାହା ଦ୍ୱାରା ନୂତନ ଅଙ୍ଗ ପ୍ରସ୍ତୁତ ହୋଇପାରିବା ସହ ଖରାପ ଅଙ୍ଗର ମରାମତି ହୋଇପାରିବ । ବୈଜ୍ଞାନିକମାନେ ଯେଉଁ ଜୈବିକ ପଦାର୍ଥ ପ୍ରସ୍ତୁତ କରିଛନ୍ତି ତାହା ଠିକ କନା ଖଣ୍ଡ ଭଳି । ଉକ୍ତ ଜୈବିକ ପଦାର୍ଥ ଜରିଆରେ ଶରୀରର କୋଷିକା ସହ ସାମଞ୍ଜସ୍ୟ ଅଣାଯାଇ ଆବଶ୍ୟକ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକର ବିକଶିତ କରାଯାଇପାରିବ ।
ଆଜିକୁ ୧୨ ବର୍ଷ ପୂର୍ବେ ଜଣେ ଦଶ ବର୍ଷୀୟ ବାଳକର ମୂତ୍ରାଶୟଟି ଅକାମୀ ହୋଇପଡ଼ିଥିଲା । ଡାକ୍ତରମାନେ ଅକାମୀ ମୂତ୍ରାଶୟର କିଛି ଅଂଶ ଆଣି ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦେଇଥିଲେ । ଦୀର୍ଘ ବର୍ଷ ପରେ ବୈଜ୍ଞାନିକମାନେ ଏହି ଜୈବିକ ପଦାର୍ଥ ପ୍ରସ୍ତୁତ କରି ବାଳକର ମୂତ୍ରାଶୟକୁ ମରାମତି କରିବାରେ ସଫଳ ହୋଇପାରିଛନ୍ତି । ଯେଉଁ ବାଳକର ମୂତ୍ରାଶୟକୁ ନେଇ ପରୀକ୍ଷା ନିରୀକ୍ଷା କରାଯାଇ ତା’ର ଚିକିତ୍ସା କରାଯାଇଥିଲା ସେ ଏବେ ୨୨ ବର୍ଷରେ ପଦାର୍ପଣ କରିବା ସହ ସ୍ୱାଭାବିକ ଜୀବନଯାପନ କରୁଛି । ଏଭଳି ଏକ ଚମକ୍ରାର ଜୈବିକ ପଦାର୍ଥର ନିର୍ମାଣ ପାଇଁ ପ୍ରସ୍ତୁତ ହୋଇଛି ମଣିଷ ଅଙ୍ଗକୁ ଛାପି ପାରୁଥିବା ଏକ ପ୍ରକାରର ମେସିନ । ଗୋଟିଏ ସ୍କାନର ସହାୟତାରେ ଅକାମୀ ଅଙ୍ଗକୁ ସ୍କାନ କରାଯାଇ ଆବଶ୍ୟକ ପଦ୍ଧତି ପ୍ରୟୋଗ କରାଯାଏ । ଫଳରେ ଅକାମୀ ଅଙ୍ଗଟି ପୁଣି ସକି୍ରୟ ହୋଇଉଠେ । ଏହି ମେସିନ ସହାୟତାରେ ବୈଜ୍ଞାନିକ ମାନେ ଏକ ଯକୃତ ନିର୍ମାଣ କରିଛନ୍ତି । ମାତ୍ର ତାହା କାର୍ଯ୍ୟକ୍ଷମ ହେବାକୁ ସମୟ ଲାଗିବ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି ।