ଉନ୍ନାଓ ପୀଡ଼ିତାଙ୍କ ମା’ଙ୍କୁ କଂଗ୍ରେସ ଟିକେଟ
ଉନ୍ନାଓ ପୀଡ଼ିତାଙ୍କ ମା’ଙ୍କୁ କଂଗ୍ରେସ ଟିକେଟ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୧୨୫ ଆସନ ଲାଗି ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିମଧ୍ୟରେ ୫୦ଜଣ ମହିଳାଙ୍କୁ ଟିକେଟ ଦେଇଛି କଂଗ୍ରେସ । ଏହା ପ୍ରିୟଙ୍କା ଗାନ୍ଧିଙ୍କ ମାଷ୍ଟରଷ୍ଟ୍ରୋକ କୁହାଯାଉଛି । ତେବେ ଏଥିରେ ବଡ଼ ଖବର ହେଉଛି, ପ୍ରାର୍ଥୀ ତାଲିକାରେ ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କୁ କଂଗ୍ରେସ ଟିକେଟ ଦେଇଛି । ଉନ୍ନାଓ ପୀଡ଼ିତାଙ୍କ ମା’ ଆଶା ଦେବୀ ଆଗାମୀ ବିଧାନସଭା ନିର୍ବାଚନରେ ଉନ୍ନାଓ ଆସନରୁ ହିଁ ନିର୍ବାଚନ ଲଢ଼ିବେ । ଏହି ଘଟଣା ଉତ୍ତରପ୍ରଦେଶ ରାଜନୀତିରୁ ଡେଇଁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ହୋଇଛି ।
କଂଗ୍ରେସର ଏହି ଘୋଷଣା ପରେ ରାହୁଲ ଗାନ୍ଧି ଟ୍ୱିଟ୍ କରି ଲେଖିଛନ୍ତି, ବିଜେପି ଯାହା ସହ ଅନ୍ୟାୟ କରିଛି, କଂଗ୍ରେସ ତାଙ୍କୁ ନ୍ୟାୟର ପ୍ରତୀକ କରି ନିର୍ବାଚନ ମଇଦାନରେ ଓହ୍ଲାଇଛି । ଆଶା ଦେବୀ ଏବେ ନ୍ୟାୟ ପାଇଁ ଲଢେ଼ଇ କରୁଥିବା ଜଣେ ମହିଳାର ପ୍ରତୀକ ହେବେ । ସୂଚନାଯୋଗ୍ୟ, ୨୦୧୭ରେ ବହୁଚର୍ଚ୍ଚିତ ଉନ୍ନାଓ ବଳାକ୍ରାର ମାମଲା ସାରା ଦେଶରେ ଚର୍ଚ୍ଚାକୁ ଆସିିଥିଲା । ଉନ୍ନାଓର ତକ୍ରାଳୀନ ବିଜେପି ବିଧାୟକ କୁଲଦୀପ ସିଂହଙ୍କ ବିରୋଧରେ ଉଠିଥିଲା ସାଂଘାତିକ ମାମଲା । ଜଣେ ୧୯ ବର୍ଷର ଝିଅକୁ ବଳାକ୍ରାର ନେଇ ଅଭିଯୋଗ ହୋଇଥିଲା । ନିଜେ ପୀଡ଼ିତା ନ୍ୟାୟ ପାଇଁ ସରକାରଙ୍କ ଦ୍ୱାରସ୍ଥ ହୋଇଥିଲେ । ତଥାପି ତାଙ୍କୁ ନ୍ୟାୟ ମିଳିନଥିଲା । ଅନ୍ୟପକ୍ଷରେ ତାଙ୍କ ବାପାଙ୍କର ହାଜତରେ ମୃତୁ୍ୟ ପରେ ପୂରା ଘଟଣା ଦେଶବ୍ୟାପୀ ଆନେ୍ଦାଳନ ଛିଡ଼ା କରିଥିଲା । ଏ ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପୀଡ଼ିତାଙ୍କ ପାଇଁ ଲଢେ଼ଇ ଆରମ୍ଭ କରିଥିଲେ । ପରେ ଏ ଘଟଣାରେ ବିଧାୟକ ଗିରଫ ହୋଇଥିଲେ । ସିବିଆଇ ତଦନ୍ତ ପରେ ଏବେ ସେ ଜେଲରେ ସଜା କାଟୁଛନ୍ତି ।




admin 