ଉତ୍ତର ଓଡ଼ିଶାକୁ ଆସିପାରେ ବଡ଼ ବନ୍ୟା

ଉତ୍ତର ଓଡ଼ିଶାକୁ ଆସିପାରେ ବଡ଼ ବନ୍ୟା

ଉତ୍ତର ଓଡ଼ିଶାକୁ ଆସିପାରେ ବଡ଼ ବନ୍ୟା

ଭୁବନେଶ୍ୱର: ଉତ୍ତର ଓଡ଼ିଶାକୁ ବଡ଼ ବନ୍ୟା ଆସୁଛି । ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସିପାରେ ଏସ୍‌ଆରସି ପ୍ରଦୀପ କୁମାର ଜେନା ସୂଚନା ଦେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ବୈତରଣୀ ନଦୀ ଉଭୟ ଆଖୁଆପଦା ଓ ଆନନ୍ଦପୁରରେ ବିପଦ ସଙ୍କେତ ଡେଇଁବାକୁ ଯାଉଛି । ସମ୍ଭାବ୍ୟ ବନ୍ୟା ନେଇ ଏସଆରସିଙ୍କ ପକ୍ଷରୁ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି ।

ମହାନଦୀ ବନ୍ୟା ଦୁର୍ଦ୍ଦଶା ସରିନି । ଏପଟେ ଉତ୍ତର ଓଡ଼ିଶାରେ ଲଗାଣ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷାରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, କନ୍ଧମାଳ ଓ ସୁନ୍ଦରଗଡ଼ରେ ନାହିଁ ନ ଥିବା ଅବସ୍ଥା । କାନ୍ଥ ପଡ଼ିବା ସହ ପାଣିରେ ଭାସିଯିବାରୁ ଏବେ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଛି । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ଉପରମୁହାଁ ହେଲେଣି ।  ବୁଢ଼ାବଳଙ୍ଗ ଓ ବୈତରଣୀ ବିପଦ ସଙ୍କେତ ଡେଇଁଯିବ । ଜଳକା ଉଛୁଳିଲାଣି । ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା ଘାରିଲାଣି । ସମ୍ବଲପୁର କୁଚିଣ୍ଡାରେ କାର ଭାସିଯାଇଥିବାବେଳେ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।
ପ୍ରଶାସନ ପକ୍ଷରୁ ତଳି ଇଲାକାକୁ ସତର୍କ କରାଇ ଦିଆଯାଇଛି । ବାଲେଶ୍ୱରକୁ ଅତିରିକ୍ତ ୨ଟି ଏନ୍‌ଡିଆରଏଫ, ୨ଟି ଓଡ୍ରାଫ ଓ ୮ଟି ଅଗ୍ନିଶମ ଟିମ ପଠାଯାଇଛି । ମୟୂରଭଞ୍ଜକୁ ୨ଟି ଏନଡିଆରଏଫ ଟିମ୍‌, ୨ଟି ଓଡ୍ରାଫ ଟିମ୍‌ ଏବଂ ୪ଟି ଅଗ୍ନିଶମ ଟିମ୍‌ ପଠାଯାଇଛି ।
ଉତ୍ତର ଓଡ଼ିଶା ସହ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା ବି ଫୁଲୁଛି । ଝାଡ଼ଖଣ୍ଡ ଗୁଲାଡିହ ବ୍ୟାରେଜର ୧୪ଟି ଗେଟ ଖୋଲାଯାଇଛି । ଏଥିରେ ସୁବର୍ଣ୍ଣରେଖା ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ସାଢ଼େ ୩ ଲକ୍ଷ ଘନଫୁଟ ପାଣି ଆସୁଛି । ତେଣୁ ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆସିପାରେ ।  ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଦୁଇଦିନ ଭିତରେ ବାଲେଶ୍ୱରକୁ ସୁବର୍ଣ୍ଣରେଖାର ବଢ଼ି ପାଣି ମାଡ଼ି ଆସିବା ଡର ଘାରିଛି । ଏପଟେ ଜଳକା ବିପଦ ସଙ୍କେତଠାରୁ ପ୍ରାୟ ଦେଢ଼ ମିଟର ଉପରେ ଚାଲିଛି । ଲଗାଣ ବର୍ଷାରେ ବ୍ୟାପକ ଚାଷ କ୍ଷତିଗ୍ରସ୍ତ ହୋଇଛି ।