ଆରମ୍ଭ ହେବ କଂଗ୍ରେସର ‘ସ୍ପିକ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ।
ଆରମ୍ଭ ହେବ କଂଗ୍ରେସର ‘ସ୍ପିକ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ।
admin
May 28, 2020 - 07:03
Updated: May 28, 2020 - 07:03
ଦେଶର ତିନିଟି ପ୍ରମୁଖ ସମସ୍ୟାକୁ ନେଇ ଡିଜିଟାଲ ପ୍ଲାଟଫର୍ମରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ । ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ସ୍ୱରକୁ ଶାଣିତ କରି ସରକାରଙ୍କୁ ଘେରିବାକୁ ଦଳ ପକ୍ଷରୁ ଯୋଜନା ହୋଇଛି । ଏଇଥିପାଁ ୨୮ ତାରିଖରେ ‘ସ୍ପିକ୍ ଇଣ୍ଡିଆ’ ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ବହୁ ସଂଖ୍ୟାରେ ସାଧାରଣ ନାଗରିକର ଭାଗ ନେଇ ଦେଶକୁ ରକ୍ଷା କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ, ଏଆଇସିସି ସଭାନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧିଙ୍କ ନିଷ୍ପତ୍ତିକ୍ରମେ ଦେଶରେ କଂଗ୍ରେସ ଦଳର ସମସ୍ତ ସଦସ୍ୟ, ନେତୃବୃନ୍ଦ ତଥା ଦେଶର ଜନସାଧାରଣ ଏକ ସ୍ୱରରେ ଭାରତ ସରକାରଙ୍କ ନିକଟରେ ୩ଟି ସମସ୍ୟାକୁ ଦିନ ୧୧ଟାରୁ ୨ ଟା ମଧ୍ୟରେ ସାମାଜିକ ଗଣମାଧ୍ୟମ ଯଥା ଫେସବୁକ, ଟ୍ୱିଟର ଓ ଇନଷ୍ଟାଗ୍ରାମ ମାଧ୍ୟମରେ ଉପସ୍ଥାପନ କରିବେ । ପ୍ରଥମ ଦାବିଟି ଭାରତ ବର୍ଷର ପ୍ରବାସୀ ଶ୍ରମିକମାନଙ୍କୁ ସିଧାସଳଖ ଆସନ୍ତା ୬ ମାସ ପାଇଁ ମାସକୁ ୭୫୦୦ ଟଙ୍କା ଲେଖାଏ ସେମାନଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରିବା ଏବଂ ତତକ୍ଷଣାତ ସେମାନଙ୍କୁ ୧୦ ହଜାର ଟଙ୍କା ଅଗ୍ରୀମ ଆକାରରେ ପ୍ରଦାନ କରିବା । ଏହା ଦ୍ୱାରା ଦେଶର କୋଟି କୋଟି ଶ୍ରମିକ ତାଙ୍କ ଜୀବନକୁ ବଞ୍ଚାଇପାରିବ । ଦ୍ୱିତୀୟ ଦାବି ହେଲା କୃଷକମାନଙ୍କୁ ନଗଦ ସହାୟତା ପ୍ରଦାନ କରିବା । କାରଣ ରବି ଫସଲ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି । ମାର୍ଚ୍ଚ ୨୫ ତାରିଖରୁ ଆଜି ପର୍ଯ୍ୟନ୍ତ କୃଷକମାନେ ତାଙ୍କର ଉତ୍ପାଦିତ ଦ୍ରବ୍ୟ ଯଥା ପନିପରିବା ଠାରୁ ଆରମ୍ଭ କରି ଧାନ, ମୁଗ, ବିରି ବଜାରରେ ବିକି୍ର କରିପାରିଲେ ନାହିଁ । ରବି ଋତୁରେ ଋଣ ଓ ଋଣ ଉପରେ ସୁଧ କୃଷକଙ୍କ ମୁଣ୍ଡ ଉପରେ ନଳିତା ବିଡ଼ା ସଦୃଶ । ତେଣୁ କୃଷକମାନଙ୍କୁ ଆସନ୍ତା ଖରିଫ ଋତୁ ପାଇଁ ବିହନଠାରୁ ଆରମ୍ଭ କରି ସାର, କୀଟନାଶକ ଔଷଧ ଓ ନଗଦ ଅର୍ଥର ସହାୟତା ପ୍ରଦାନ କରାଯାଉ । ତୃତୀୟ ଦାବି ହେଲା ରାଜ୍ୟ ବାହାରେ ଥିବା ଶ୍ରମିକମାନଙ୍କୁ ତୁରନ୍ତ କେନ୍ଦ୍ର ସରକାର ଟ୍ରେନ ଯୋଗେ ନିଜ ଅଞ୍ଚଳରେ ପହଞ୍ଚାନ୍ତୁ । ଯାତ୍ରା ସମୟରେ ସେମାନଙ୍କ ଖାଦ୍ୟପେୟ ଓ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଧ୍ୟାନ ଦିଆଯାଉ । ସମସ୍ତ କଂଗ୍ରେସ କର୍ମୀ, ନେତୃବୃନ୍ଦ, ଛାମୁଆ ସଂଗଠନ ତଥା କଂଗ୍ରେସ ପ୍ରେମୀ ବ୍ୟକ୍ତି ଓ ଓଡ଼ିଶାର ସଚେତନ ନାଗରିକ ସାମାଜିକ ଗଣମାଧ୍ୟମରେ ଏହି ୩ଟି ଦାବିକୁ ଉପସ୍ଥାପନ କରିବାକୁ ପିସିସି ସଭାପତି ନିବେଦନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ସୋସିଆଲ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ଓ ମୁଖପାତ୍ର ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ ।