ଆଜିଠୁ ବର୍ଷା ପରିମାଣ ହ୍ରାସ ପାଇବ
ଆଜିଠୁ ବର୍ଷା ପରିମାଣ ହ୍ରାସ ପାଇବ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି ଅବପାତରେ ପରିଣତ ହେବାପରେ ଦୁର୍ବଳ ହୋଇଯାଇଛି। ଫଳରେ ଆଜିଠୁ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇବ। ତେବେ ମୌସୁମୀ ସକ୍ରିୟ ରହିଥିବା ଯୋଗୁ ରାଜ୍ୟରେ ଦୁଇ ଦିନ ଯାଏ କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବୁଧବାର ମଧ୍ୟ କିଛି ଜିଲ୍ଲାରେ ଏଭଳି ସ୍ଥିତି ଜାରି ରହିବା ସହ ବାକି ଅଞ୍ଚଳ ଗୁଡ଼ିକରେ ପାଖ ଶୁଖିଲା ରହିବ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ୧୮ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧୦୮୪.୩ ମି.ମି. ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୫ ପ୍ରତିଶତ ଅଧିକ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।




admin 