ଆଜିଠାରୁ ଯୋଗ୍ୟତା କାର୍ଡ, ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଆଜିଠାରୁ ଯୋଗ୍ୟତା କାର୍ଡ, ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
admin
Mar 5, 2020 - 07:06
Updated: Mar 5, 2020 - 07:06
ଭୁବନେଶ୍ୱର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସ ଉପଲକ୍ଷେ ପକ୍କାଘର ପାଇବାକୁ ଯୋଗ୍ୟ ହିତାଧିକାରୀଙ୍କୁ ‘ବିଜୁ ପକ୍କା ଘର ଯୋଜନା କାର୍ଡ’ ବଣ୍ଟନ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିବେ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୦ ଲକ୍ଷ ହିତାଧିକାରୀଙ୍କୁ ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ୫୦ ଟି ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀମାନେ ଉପସ୍ଥିତ ରହି ଏହି କାର୍ଡ ବାଣ୍ଟିବେ । କେଉଁ ମନ୍ତ୍ରୀ କେଉଁ ସ୍ଥାନରେ କାର୍ଡ ବାଣ୍ଟିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ତାଲିକା ପ୍ରସ୍ତୁତ କରାଯାଇଛି । ଏଥିସହ ବ୍ଲକରେ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆନଯାଇଛି ସେଠାରେ ବିଧାୟକମାନେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିବେ । ଯେଉଁମାନେ ଏହି କାର୍ଡ ପାଇବାରୁ ବଞ୍ଚିତ ହେବେ ସେମାନେ ବ୍ଲକ କାର୍ୟ୍ୟାଳୟରେ ଦରଖାସ୍ତ ଦେବେ । ତାଙ୍କ ଦରଖାସ୍ତକୁ ତଦନ୍ତ କରାଯାଇ କାର୍ଡ ପାଇବାକୁ ଯୋଗ୍ୟ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ପଞ୍ଚାୟତିରାଜ ତଥା ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।
ବିଭାଗ ପକ୍ଷରୁ ପ୍ରକାଶିତ ଗାଇଡଲାଇନରେ କୁହାଯାଇଛି ଯେ ପ୍ରତି ବ୍ଲକର ବିଡିଓ.... ୱେବ ସାଇଟରୁ ପକ୍କା ଘର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଡାଉନଲୋଡ କରି ହୋଲୋଗ୍ରାମ ଲଗାଇ ହିତାଧିକାରୀମାନଙ୍କୁ ଦେବାର ବ୍ୟବସ୍ଥା କରିବେ । ଏହି କାର୍ଡ ବିଭାଗ ପକ୍ଷରୁ ଡିଆରଡିଏ ମାଧ୍ୟମରେ ବିଡିଓମାନଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳମାନେ ପ୍ରତି ବ୍ଲକ ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଦାୟିତ୍ୱ ଦେବେ । ଯେଉଁମାନେ କି କାର୍ଡରେ ସଠିକ ନାମ ପ୍ରବେଶ କରାଇବେ । ୫୦୦ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ପାଇଁ ଗ୍ରାମ ପଞ୍ଚାୟତ କ୍ଲଷ୍ଟର ବ୍ଲକସ୍ତରରେ କ୍ୟାମ୍ପ ଆୟୋଜନ କରାଯିବ । କାର୍ଡ ବଣ୍ଟନ କରିବା ଲାଗି ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୫୦ଟି ବିଧାନସଭା କ୍ଷେତ୍ରରେ ବ୍ଲକ ସ୍ତରରେ ଆୟୋଜିତ କ୍ୟାମ୍ପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଡ ପ୍ରଦାନ କରିବେ । ଅନ୍ୟ ବ୍ଲକ ଗୁଡ଼ିକରେ ବିଧାୟକମାନେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଡ ବଣ୍ଟନ କରିବା ଲାଗି କୁହାଯାଇଛି । ପ୍ରତ୍ୟେକ କ୍ୟାମ୍ପ ଆୟୋଜନ କରି ରାଜ୍ୟ ସରକାର ୨୦ ହଜାର ଟଙ୍କା କରି ବ୍ୟବସ୍ଥା କରିଛନ୍ତି । ହିତାଧିକାରୀମାନେ ସୁରୁଖୁରୁରେ କାର୍ଡ ପାଇପାରିବେ ସେଥିପାଇଁ ପଞ୍ଚାୟତସ୍ତରରେ ବ୍ୟାପକ ପ୍ରଚାର ପ୍ରସାର ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଗ୍ରାମବାସୀଙ୍କୁ ମାଇକ ସହାୟତାରେ ଆଗୁଆ ସୂଚନା ଦିଆଯିବ । କେଉଁ ସ୍ଥାନରେ ଓ କେତେ ବେଳେ କ୍ୟାମ୍ପ ଅନୁଷ୍ଠିତ ହେବ ତାହାର ସମ୍ପୂର୍ଣ୍ଣ ତଥ୍ୟ ହିତାଧିକାରୀଙ୍କୁ ଅବଗତ କରାଯିବ । ପ୍ରତି ଡିଆରଡିଏ ଓ ବ୍ଲକ ଅଫିସର ଏକ ପ୍ରମୁଖ ସ୍ଥାନରେ ଡିଜିଟାଲ ୱାଲ ପେଣ୍ଟିଂ ଲାଗିବ । ମାର୍ଚ୍ଚ ୩୧ ସୁଦ୍ଧା କାର୍ଡ ବଣ୍ଟନ କାର୍ୟ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ମନ୍ତ୍ରୀ ପ୍ରଦାପ ଜେନା ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି, ବାଲେଶ୍ୱର ଜିଲ୍ଲାର ନୀଳଗିରି ଓ ବାଲେଶ୍ୱର, କଟକ ଜିଲ୍ଲାର ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀର ହିତାଧିକାରୀଙ୍କୁ ଏହି ଯୋଗ୍ୟତା କାର୍ଡ ବଣ୍ଟନ କରିବେ । ସେହିପରି ମନ୍ତ୍ରୀ ନବ କିଶୋର ଦାସଙ୍କୁ ଭବାନୀପାଟଣା ଓ ଖଡ଼ିଆଳ ଦାୟିତ୍ୱ ଦିଆଯାଇଥିବା ବେଳେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସମ୍ବଲପୁର, ଲୋଇସିଙ୍ଗା ଓ ତଳସରା, ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ମୋହନା ଓ ପାରଳାଖେମୁଣ୍ଡି, ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ପୁରୀ ଓ ବ୍ରହ୍ମଗିରି, ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ରାୟଗଡ଼ା, ଜୟପୁର ଓ ଲକ୍ଷ୍ମୀପୁର, ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ ମାଲକାନଗିରି ଓ କୋରାପୁଟ, ମନ୍ତ୍ରୀ ସୁଶାନ୍ତ କୁମାର ସିଂହଙ୍କୁ ବଲାଙ୍ଗୀର ଓ କଣ୍ଟାବାଞ୍ଜି, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଧାମନଗର, କେନ୍ଦୁଝର ଓ ଚମ୍ପୁଆ, ମନ୍ତ୍ରୀ ଟୁକୁନି ସାହୁଙ୍କୁ ରାଜଗାଙ୍ଗପୁର ଓ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବର କ୍ୟାମ୍ପରେ କାର୍ଡ ବାଣ୍ଟିବେ । ଏମାନଙ୍କ ବ୍ୟତୀତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ରେଙ୍ଗାଲି, ଦେବଗଡ଼ ଓ ପାଳଲହଡ଼ା, ନିର୍ବାଚନମଣ୍ଡଳୀ ଦାୟିତ୍ୱ ଦିଆଯାଇଥିବା ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଫୁଲବାଣୀ ଓ ସୁନଖେମୁଣ୍ଡି, ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ଦଶପଲ୍ଲା ଓ ଚିଲିକା, ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଯଶୀପୁର, ସାରସକଣା ଓ ବାରିପଦା, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ହିନ୍ଦୋଳ, ଆନନ୍ଦପୁର ଓ ଛେଣ୍ଡିପଦା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଜଟଣୀ ଓ ନିଆଳି, ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ବରୀ, ଉମରକୋଟ ଓ ନବରଙ୍ଗପୁର, ମନ୍ତ୍ରୀ ପ୍ରେମାନନ୍ଦ ନାଏକଙ୍କୁ ବାଙ୍କି ଓ ପାଟକୁରା ଏବଂ ମନ୍ତ୍ରୀ ତୁଷାରକାନ୍ତି ବେହେରା ବଣାଇ ଓ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ଯୋଗ୍ୟତା କାର୍ଡ଼ ବଣ୍ଟନ କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ ।
ସୂଚନା ଯୋଗ୍ୟ ଯେ ରାଜ୍ୟରେ ଘର ପାଇବାକୁ ଥିବା ପ୍ରାୟ ୨୦ ଲକ୍ଷ ହିତାଧିକାରୀଙ୍କୁ ପକ୍କାଘର ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏହା ପରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏ ନେଇ କାର୍ୟ୍ୟ ଆରମ୍ଭ ହୋଇଛି । ସେଥିପାଇଁ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଯୋଗ୍ୟତା କାର୍ଡ ପ୍ରଦାନ ଲାଗି ସ୍ଥିର ହୋଇଛି ।