ଆଜି ସନ୍ଧ୍ୟା ୭ଟା ୩୦ରେ ଆସିବେ ରାଷ୍ଟ୍ରପତି
ଆଜି ସନ୍ଧ୍ୟା ୭ଟା ୩୦ରେ ଆସିବେ ରାଷ୍ଟ୍ରପତି
admin
Dec 7, 2019 - 05:59
Updated: Dec 7, 2019 - 05:59
ଭୁବନେଶ୍ୱର : ଖୋର୍ଦ୍ଧା ଓ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଚି । ଏ ନେଇ ଶୁକ୍ରବାର ବିମାନ ବନ୍ଦରରୁ ବାଣୀବିହାର ଓ ସେଠାରୁ ରାଜ୍ୟପାଳ ଭବନ ପର୍ଯ୍ୟନ୍ତ କାରକେଡର ମକ ଡି୍ରଲ କରାଯାଇଥିଲା । ଡିଜିପି ଡ.ସତ୍ୟଜିତ ମହାନ୍ତି, ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ ଏହା ଉପରେ ନଜର ରଖିଥିଲେ ।
ଆଜି ଅପରାହ୍ନ ୫ଟା ୨୦ ରେ ରାଷ୍ଟ୍ରପତି ରାଜସ୍ଥାନ ଯୋଧପୁର ବିମାନ ବନ୍ଦରରୁ ବାହାରିବେ । ଦୁଇ ଘଣ୍ଟା ୧୦ ମିନିଟ ପରେ ଅର୍ଥାତ ସନ୍ଧ୍ୟା ୭ଟା ୩୦ ମିନିଟରେ ପହଞ୍ଚିବେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ । ବିମାନ ବନ୍ଦରରେ ତାଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଡିଜିପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିବେ । ସେ ୭ଟା ୪୦ ମିନିଟରେ ବିମାନ ବନ୍ଦରରୁ ବାହାରି ୭ଟା ୫୦ରେ ରାଜଭବନ ପହଞ୍ଚିବେ । ସେଠାରେ ରାତି୍ର ଯାପନ କରିବେ ।
୮ ତାରିଖ (ରବିବାର) ସକାଳ ୮ ଟା ୩୦ରୁ ୯ ଟା ୩୦ ମଧ୍ୟରେ ରାଷ୍ଟ୍ରପତି ଜଳଖିଆ ଗ୍ରହଣ କରିବେ । ୯ ଟା ୩୦ରେ ରାଜଭବନରୁ ବାହାରି ୯ ଟା ୪୦ ରେ ବିମାନବନ୍ଦରରେ ପହଞ୍ଚିବେ । ୯ ଟା ୫୦ ରେ ବିମାନ ବନ୍ଦରରୁ ବାୟୁ ସେନାର ସ୍ୱତନ୍ତ୍ର ହେଲିକେପ୍ଟରରେ ଖୋର୍ଦ୍ଧା ଯାତ୍ରା କରିବେ । ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ତିଆରି ହେଲିପ୍ୟାଡରେ ୧୦ ଟା ୧୦ ରେ ପହଞ୍ଚିବେ । ୧୦ ଟା ୨୦ରେ ଉକ୍ତ ପଡ଼ିଆରୁ ତାଙ୍କୁ କଡ଼ା ସୁରକ୍ଷାରେ ବରୁଣେଇ ପାହାଡ଼ରେ ଚାଲିଥିବା କାର୍ଯ୍ୟକ୍ରମକୁ ନିଆଯିବ । ୧୦ ଟା ୩୦ ରୁ ୧୧ ଟା ୩୫ ପର୍ଯ୍ୟନ୍ତ ସାଧାରଣ ସଭାରେ ଯୋଗ ଦେବା ସହ ପାଇକ ବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ପୂର୍ବାହ୍ନ ୧୧ ଟା ୩୫ ରୁ ସେଠାରୁ ବାହାରି ୧୧ ଟା ୪୫ରେ ହେଲିପ୍ୟାଡରେ ପହଞ୍ଚିବେ । ୧୧ ଟା ୫୫ ରେ ହେଲିକପ୍ଟରରେ ଉକ୍ତ ପଡ଼ିଆରୁ ଉଡ଼ାଣ କରି ଅପରାହ୍ନ ୧୨ଟା ୧୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ୧୨ଟା ୧୫ ରୁ ବିମାନ ବନ୍ଦରରୁ ସେ ସଡ଼କ ପଥରେ ଉକ୍ରଳ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସକୁ ଯିବେ । ୧୨ ଟା ୩୫ରେ କ୍ୟାମ୍ପସରେ ପହଞ୍ଚିବେ । ୧୨ଟା ୪୦ ରୁ ଅପରାହ୍ନ ୧ ଟା ୪୦ ପର୍ଯ୍ୟନ୍ତ ଉକ୍ରଳ ବିଶ୍ୱ ବିଦ୍ୟାଳୟ ପ୍ଲାଟିନମ ଜୁବୁଲିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।
୧ଟା ୪୦ ରେ ଉକ୍ରଳ ବିଶ୍ୱ ବିଦ୍ୟାଳୟରୁ ବାହାରି ୧ ଟା ୫୦ ରେ ରାଜଭବନରେ ପହଞ୍ଚିବେ । ସେଠାରେ ମଧ୍ୟାହ୍ନ ଭୋଜନ ଗ୍ରହଣ କରି ୫ ଟା ପର୍ଯ୍ୟନ୍ତ ବିଶ୍ରାମ ନେବେ । ଅପରାହ୍ନ ୫ଟାରେ ରାଜ ଭବନରୁ ବାହାରି ୫ ଟା ୧୦ ରେ ବିମାନ ବନ୍ଦରରେ ପହଞ୍ଚିବେ । ୫ଟା ୨୦ରେ ରାଷ୍ଟ୍ରପତିଙ୍କ ବିମାନ ଦିଲ୍ଲୀ ଯାତ୍ରା କରିବ । ୭ଟା ୪୦ରେ ପାଲାମ ବିମାନ ବନ୍ଦରରେ ପହଞ୍ଚିବେ । ୭ଟା ୫୦ରୁ ବିମାନ ବନ୍ଦରରୁ ବାହାରି ରାତି ୮ ଟା ୫ରେ ରାଷ୍ଟ୍ରପତି ଭବନରେ ପହଞ୍ଚିବେ ।