ଆଜି ମହାପ୍ରଭୁଙ୍କ ସୁନାବେଶ
ଆଜି ମହାପ୍ରଭୁଙ୍କ ସୁନାବେଶ
admin
Jul 13, 2019 - 06:44
Updated: Jul 13, 2019 - 06:44
ଅପରାହ୍ନ ୪ ଟାରୁ ଦର୍ଶନ, ରାତି ୧୧ଟାରେ ମଇଲମ୍
ଭୁବନେଶ୍ୱର : ଚଳିତ ବର୍ଷ ହରିଶୟନ ଏକାଦଶୀ ବଦଳରେ ଶନିବାର ଗରୁଡ଼ ଶୟନ ଦ୍ୱାଦଶୀରେ ଦୁର୍ଲଭ ସୁନାବେଶ (ବଡ଼ଚଢ଼ାଉ ବେଶ) ରେ ଦର୍ଶନ ଦେବେ ମହାପ୍ରଭୁ । ସର୍ବଦା ରତ୍ନବେଦୀରେ ସୁନାବେଶରେ ଦର୍ଶନ ଦେଉଥିବା ମହାପ୍ରଭୁ ରତ୍ନଖଚିତ ଦୁଇ ଶହ କିଲୋଗ୍ରାମରୁ ଅଧିକ ଓଜନର ସୁନା, ରୂପା ଆଦି ଅଳଙ୍କାର ପିନ୍ଧି ଭକ୍ତଙ୍କୁ ବଡ଼ଦାଣ୍ଡରେ ରଥ ଉପରୁ ଦର୍ଶନ ଦେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚାତକ ନୟନରେ ଚାହିଁ ବସିଛନ୍ତି ।
ଚଳିତ ବର୍ଷ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅପରାହ୍ନ ୪ଟାରେ ତିନି ଠାକୁରଙ୍କ ସୁନାବେଶ ନୀତି ଆରମ୍ଭ ନେଇ ନୀତି ନିର୍ଘଣ୍ଟ ହୋଇଛି । ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିପାରିବେ । ରାତି ୧୧ଟାରେ ସୁନାବେଶ ଓଲାଗି ହେବ । ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ ସହ ୱାନ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ସେପଟେ ଭକ୍ତଙ୍କୁ ଦେଖି ଦର୍ଶନ ସମୟ ବି ବୃଦ୍ଧି କରାଯାଇପାରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।
ଆସନ୍ତାକାଲି ଏହି ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ନିର୍ଘଣ୍ଟ ନୀତି ଅନୁଯାୟୀ ଆସନ୍ତାକାଲି ଭୋର ୬ଟାରୁ ସାଢ଼େ ୬ଟା ଭିତରେ ତିନି ରଥରେ ମଙ୍ଗଳ ଆରତି ନୀତି ଶେଷ ହେବ । ସକାଳ ୭ଟାରେ ମଇଲମ ଓ ତଡପଲାଗି, ୮ଟାରେ ଅବକାଶ, ୯ଟାରେ ବେଶଶେଷ, ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୦ଟା ଗୋପାଳବଲ୍ଲଭ, ପୂର୍ବାହ୍ନ ୧୧ ଟାରୁ ୧୨ ଟା ସକାଳ ଧୂପ, ମଧ୍ୟାହ୍ନ ସାଢ଼େ ୧୨ଟାରେ ମଇଲମ, ଅପରାହ୍ନ ଗୋଟାଏରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ସାଢ଼େ ଗୋଟାଏରେ ବେଶ ଶେଷ, ଅପରାହ୍ନ ୨ଟାରୁ ୩ଟା ରେ ମଧ୍ୟାହ୍ନ ଧୂପ, ଅପରାହ୍ନ ସାଢ଼େ ୩ଟା ରେ ମଇଲମ, ଅପରାହ୍ନ ୪ଟାରେ ମେକାପ ସର୍ବାଙ୍ଗ ନୀତି ସମ୍ପନ୍ନ ହେବ । ଅପରାହ୍ନ ୪ଟାରୁ ୫ ଟା ଭିତରେ ତିନି ଠାକୁରଙ୍କୁ ସୁନାବେଶ କରାଯିବା ପରେ ଭକ୍ତଙ୍କ ସୁନାବେଶ ଦର୍ଶନ ଆରମ୍ଭ ହେବ । ରାତି ୮ ଟାରୁ ୯ ଟା ସଂଧ୍ୟା ଧୂପ, ରାତି ୧୧ ଟାରୁ ୧୨ ସୁନାବେଶ ମଇଲମ, ସାଢ଼େ ୧୨ଟାରେ ଚନ୍ଦନଲାଗି, ରାତି ଗୋଟାଏରେ ବଡ଼ସିଂହାର ବେଶ, ସାଢ଼େ ଗୋଟାଏରେ ବଡ଼ସିଂହାର ଭୋଗ, ରାତି ୨ଟାରେ ଗରୁଡ଼ ଶୟନ ନୀତି ହୋଇ ପହୁଡ଼ ହେବ ।
ଶନିବାର ସୁନାବେଶ ଶେଷ ପରେ ଆସନ୍ତା ୧୪ ତାରିଖରେ ଅଧରପଣା ନୀତି ୧୫ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ବର୍ଷରେ ୪ ଥର ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କ ର ସୁନାବେଶ ହୋଇଆସୁଛି । ଏଣୁ ବାହୁଡ଼ା ପରଦିନ ଏକାଦଶୀ ତିଥିରେ ଏହି ସୁନାବେଶରେ ରଥ ଉପରେ ଦର୍ଶନ ଦେବା ପାଇଁ ତକ୍ରାଳୀନ ତଢ଼ାଉକରଣ ଅନୁରୋଧ କରିଥିଲେ । ସେବେଠାରୁ ଏହି ବଡ଼ତଢ଼ାଉ ବେଶ ବା ସୁନାବେଶ ହୋଇ ଆସୁଛି । କିନ୍ତୁ ଚଳିତ ବର୍ଷ ଏକାଦଶୀରେ ବାହୁଡ଼ା ଯାତ୍ରା ଓ ସୁନାବେଶ ପଡ଼ୁଥିବାରୁ ପରିଚାଳନା କମିଟି ନିଷ୍ପତ୍ତି କ୍ରମେ ଶୁକ୍ରବାର ବାହୁଡା ଯାତ୍ରା ଶେଷ ପରେ ଶନିବାର ଦ୍ୱାଦଶୀ ତିଥିରେ ସୁନାବେଶ ନୀତି ଅନୁଷ୍ଠିତ ହେବ ।