ଆଜି ଗେଟ ଖୋଲିବ ହୀରାକୁଦ
ଆଜି ଗେଟ ଖୋଲିବ ହୀରାକୁଦ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାର ଖୋଲିବ ଗେଟ । ଆଜି ୫ରୁ ୭ଟି ଗେଟ୍ ଖୋଲାଯିବ । ଏ ନେି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ତେବେ ସେ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ମହାନଦୀରେ ବନ୍ୟା ସମ୍ଭାବନା ନାହିଁ । ଯଦିଓ ଉପରମୁଣ୍ଡରେ ବର୍ଷା ଅଧିକ ହୋଇଛି, ତଥାପି ବନ୍ୟା ଆସିବ ନାହିଁ ମହାନଦୀରେ ।
ଏସଆରସି ଶ୍ରୀ ଜେନା କହିଛନ୍ତି, ଗତ ୩ ଦିନ ଭିତରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ବୌଦ୍ଧ, ପୁରୀ, କଟକ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ସୋନପୁର, ଅନୁଗୁଳ ସମେତ ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ହୋଇଛି । ୩ଟି ବ୍ଲକରେ ୫୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ବନ୍ୟା ସ୍ଥିତି ନେଇ ସରକାର ସତର୍କ ରହିଛନ୍ତି । ହୀରାକୁଦ ଜଳସ୍ତର ୬୨୬ ଫୁଟ ରହିଛି । ମାତ୍ର ସେପ୍ଟେମ୍ବର ୧୫ ସୁଦ୍ଧା ଜଳସ୍ତର ୬୨୬ରୁ ୬୨୯ ଫୁଟ ଭିତରେ ରହିଲେ ବି ବିଶେଷ ସମସ୍ୟା ନାହିଁ । ବର୍ତ୍ତମାନ ଜଳଭଣ୍ଡାକୁ ପ୍ରତି ସେକେଣ୍ଡରେ ୧.୫୫ ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ଅଛି । ଆଜି ସୁଦ୍ଧା ଜଳଭଣ୍ଡାରର ସବୁ ଗେଟ ବନ୍ଦ ଅଛି । ଯେହେତୁ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି, ତେଣୁ ଆଗକୁ ଅଧିକ ପାଣି ଉପରମୁଣ୍ଡରୁ ଆସିପାରେ । ତେଣୁ ହୀରାକୁଦ ଜଳଭଣ୍ଡାରର ସୁରକ୍ଷା ସହ ଆଗକୁ ବନ୍ୟା ସ୍ଥିତି ଏଡ଼ାଇବା ପାଇଁ ଆଜି ହୀରାକୁଦ ଗେଟ ଖୋଲାଯିବ । ଏ ନେଇ ଜଳ ସମ୍ପଦ ବିଭାଗ ବିଚାର ବିମର୍ଷ ଚଳାଇଛି । ଆଜି ୫ରୁ ୭ଟି ଗେଟ ଖୋଲାଯିବା ସମ୍ଭାବନା ଅଛି । ଏଭଳି ଗେଟ ଖୋଲିଲେ କଟକ ମୁଣ୍ଡୁଳି ଦେଇ ୫ ଲକ୍ଷରୁ ୬ ଲକ୍ଷ କୁ୍ୟସେକ ପାଣି ଚାଲିଲେ ବି ବନ୍ୟା ସ୍ଥିତି ଉପୁଜିବ ନାହିଁ ।
ବୈତରଣୀ ଆଖୁଆପଦାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ସତର୍କତା ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ବ୍ରାହ୍ମଣୀ ଉପରମୁଣ୍ଡରେ ଅଧିକ ବର୍ଷା ହୋଇଥିଲେ ମଧ୍ୟ ଜଳସ୍ତର ବିପଦ ସଙ୍କେତଠାରୁ ଯଥେଷ୍ଟ ତଳେ ଅଛି । ତେବେ ଯାଜପୁରର କାଣୀ ନଈ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି ।
ଲଗାଣ ବର୍ଷାଜନିତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ସବୁ ବିଭାଗକୁ କୁହାଯାଇଛି । ୨ ସପ୍ତାହରେ ରିପୋର୍ଟ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ଏବେ ସୁଦ୍ଧା ଲଗାଣ ବର୍ଷାରେ ୪ଜଣଙ୍କ ମୃତୁ୍ୟ ହୋଇଥିବା ସରକାରଙ୍କ ରିପୋର୍ଟ ହସ୍ତଗତ ହୋଇଛି ।