ଆଜି ଇଂଲଣ୍ଡ - ଭାରତ ଦ୍ବିତୀୟ ଦିନିକିଆ ମ୍ୟାଚ

ଆଜି ଇଂଲଣ୍ଡ - ଭାରତ ଦ୍ବିତୀୟ ଦିନିକିଆ ମ୍ୟାଚ

ଲଣ୍ଡନ: ଆଜି  ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳାଯିବ । ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ମ୍ୟାଚ । ଓଭାଲ ଗ୍ରାଉଣ୍ଡରେ ପ୍ରଥମ ଦିନିକିଆ ଜିତିବା ପରେ ଦ୍ବିତୀୟ ମ୍ୟାଚକୁ ଜିତି ସରିଜ କବ୍ଜା କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ସେପଟେ ବଟଲର ବାହିନୀଙ୍କୁ ବୁମରାଙ୍କ ବୋଲିଂ ଚିନ୍ତାରେ ପକାଇଛି । ପ୍ରଥମ ମ୍ୟାଚରେ ବୁମରା ବିସ୍ଫୋରକ ବୋଲିଂ ପାଇଁ ଦଳ ପରାସ୍ତ ହୋଇଥିଲା । ଆଜି ପୂର୍ବ ମ୍ୟାଚର ସମସ୍ତ ତ୍ରୁଟି ସୁଧାରି ଦଳ ଭଲ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି ।

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜକୁ ନିଜ ନାମରେ କରି ନେଇଛି ଭାରତ । ସେହିପରି ପ୍ରଥମ ଦିନିକିଆରେ ଦମଦାର ପ୍ରଦର୍ଶନ କରି ୧-୦ରେ ଆଗୁଆ ରହିଛି ଭାରତ । ଓଭାଲ ଗ୍ରାଉଣ୍ଡ ଭଳି ଲର୍ଡ୍ସରେ ମଧ୍ୟ ଆଧିପତ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ପ୍ରଥମ ଦିନିକିଆରେ ବୁମରାଙ୍କ ଘାତକ ବୋଲିଂ ପରେ ଇଂଲଣ୍ଡ ବ୍ୟାଟରଙ୍କ ନିଦ ଉଡିଯାଇଛି । ବୁମରା ୧୯ ରନ ଦେଇ ୬ ୱିକେଟ ହାସଲ କରିଥିଲେ । ଭୁବନେଶ୍ବର କୁମାର ମଧ୍ୟ ଫୁଲ ଫର୍ମରେ ଅଛନ୍ତି । ତାଙ୍କ ସୁଇଂ ବୋଲିଂଙ୍କୁ ସାମ୍ନା କରିବାକୁ ବିଫଳ ହୋଇଥିଲେ ବିଟଲର ବାହିନୀ ବ୍ୟାଟର । ଆଜି ମଧ୍ୟ ଏହି ଦୁଇ ବୋଲରଙ୍କ ସମାନ ବୋଲିଂ ଆଶା ରଖିଛନ୍ତି ଫ୍ୟାନ୍ସ । ଭାରତୀୟ ଦଳରେ ଆହତ ସମସ୍ୟା ଲାଗିିଥିବାରୁ ଆଜି ମଧ୍ୟ କୋହଲି ନ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ସେପଟେ ଇଂଲଣ୍ଡ ଆଜିର ମ୍ୟାଚ ଜିତିବାକୁ ଫୁଲ ପ୍ରସ୍ତୁତ ରହିଛି । ବିଶେଷ କରି ବୁମରାଙ୍କୁ ସାମ୍ନା କରିବା ଇଂଲଣ୍ଡର ଷ୍ଟାର ବ୍ୟାଟର କିଛି ସ୍ବତନ୍ତ୍ର ଯୋଜନା କରିଥିବା ଅନୁମାନ କରାଯାଉଛି । ପ୍ରଥମ ମ୍ୟାଚରେ ଖାତା ଖୋଲିନଥିବା ଜାସନ ରୟ, ରୁଟ, ଷ୍ଟୋକ୍ସ, ଲାଏମ ଲିଭିଙ୍ଗଷ୍ଟୋନଙ୍କୁ ଆଜି ଦକ୍ଷତା ଦେଖାଇବାକୁ ହେବ । ଲର୍ଡ୍ସ ପିଚ ପେସ ବୋଲରଙ୍କୁ ସୁହାଇବ ତେଣୁ ପେସ ବୋଲରଙ୍କୁ ସାମ୍ନା କରିବାକୁ ଫୁଲ ପ୍ରସ୍ତୁତ ବଟଲର ବାହିନୀ ।