ଆକାଶ-ଏନଜି ମିସାଇଲର ସଫଳ ପରୀକ୍ଷଣ
ଆକାଶ-ଏନଜି ମିସାଇଲର ସଫଳ ପରୀକ୍ଷଣ
ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ପରୀକ୍ଷା ହେଲା 'ଆକାଶ' ମିସାଇଲର ନ୍ୟୁ ଜେନେରେସନ୍ ଭର୍ସନ୍(ଆକାଶ ଏନ୍ଜି) । ପୂର୍ବାହ୍ନ ୧୧ ଟା ୫୫ ମିନିଟ୍ରେ ଏହି ମିସାଇଲ ଉତ୍କ୍ଷେପଣ କରାଯାଇଛି । ଏହାର ସଫଳ ପରୀକ୍ଷଣ ହୋଇଥିବା ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି ।
ସ୍ବଦେଶୀ ଜ୍ଞାନକୌଶଳରେ ଡ଼ିଆରଡ଼ିଓ ଦ୍ବାରା ପ୍ରସ୍ତୁତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ମିସାଇଲ ଆକାଶ ଏନ୍ଜିର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୦ କିଲୋମିଟର । ପରୀକ୍ଷା ସମୟରେ ରାଡ଼ାର ମାଧ୍ୟମରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ଏଥିରେ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇ ପାରିବ । ପରୀକ୍ଷାରେ ଟାର୍ଗେଟ୍ ଭାବେ ଇଲେକ୍ଟ୍ରୋନିକ୍ ଟାର୍ଗେଟ୍କୁ ବ୍ୟବହାର କରାଯାଇଛି ।୨୦୨୩ ମସିହା ସୁଦ୍ଧା ଏହାକୁ ସେନାରେ ସାମିଲ କରାଯିବ । ବିଶେଷକରି ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ରକୁ ଏହା ଚିହ୍ନଟ କରି ତୁରନ୍ତ ଧ୍ବଂସ କରିବାର କ୍ଷମତା ରଖିଛି । ପୁର୍ବରୁ ଆକାଶ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର ରହିଥିଲା ବୋଲି ଜଣାପଡିଛି ।




admin 