ଅଲଗା ହେବେ ବର୍ଷା-ଅନୁଭବ !
ଅଲଗା ହେବେ ବର୍ଷା-ଅନୁଭବ !
admin
Sep 5, 2020 - 06:29
Updated: Sep 5, 2020 - 06:29
ଭୁବନେଶ୍ୱର : ଅନେକ ବର୍ଷ ଧରି ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ କେନ୍ଦ୍ରାପଡ଼ା ସାଂସଦ ତଥା ତାରକା ଅନୁଭବ ମହାନ୍ତିଙ୍କ ମଧ୍ୟରେ ସବୁ କିଛି ଠିକ ଚାଲିନଥିଲା । ବାରବାର ବର୍ଷାଙ୍କୁ ନିର୍ୟ୍ୟାତନା ଦିଆଯାଉଥିବାନେଇ ଖବର ବି ପ୍ରକାଶ ପାଇଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି ଓ ନିଜଠାରୁ ଅଲଗା ରହିବାକୁ ଅନୁଭବ ବାରବାର ବର୍ଷାଙ୍କୁ ବାଧ୍ୟ କରୁଥିବାର ଖବର ବି ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ ସଦ୍ୟତମ ଖବର ଅନୁଯାୟୀ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାକୁ ଯାଉଛି । ଭରଣପୋଷଣ ପାଇଁ କୋର୍ଟରେ ଆବେଦନ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ବର୍ଷା ସିଆରଏଲଏମସି ନମ୍ବର ୯୪/୨୦୨୦ରେ ପ୍ରୋଟେକ୍ସନ ଅଫ ୱମେନ ଫ୍ରମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨, ୧୭, ୧୮, ୧୯, ୨୦ ଓ ୨୨ରେ ମକଦ୍ଧମା ଦାୟର କରିଛନ୍ତି । ବର୍ଷା ଅଭିଯୋଗ କରିଛନ୍ତିଯେ, ତାଙ୍କ ଉପସ୍ଥିତିରେ ଅନୁଭବ ନିଜର ମଦ୍ୟପ ବନ୍ଧୁମାନଙ୍କ ସହ ମିଶି ନିଜ ବେଡ଼ ରୁମରେ ମଦ୍ୟପାନ କରନ୍ତି ଏବଂ ବର୍ଷାଙ୍କୁ ମାନସିକ ଓ ଶାରୀରିକ ନିର୍ୟ୍ୟାତନା ବି ଦେଇଥା’ନ୍ତି । ଏହାର ବିରୋଧ କରିବାରୁ ତାଙ୍କୁ ଧକ୍କା ମାରି ନିଜ ଘରୁ ବାହାର କରିଦେଇଛନ୍ତି ବୋଲି ଖବର ପ୍ରକାଶ ପାଇଛି ।
ଖାଲି ସେତିକିନୁହେଁ, ସିନେମା ଜଗତର ଅନ୍ୟ ଝିଅମାନଙ୍କ ସହ ଅନୁଭବଙ୍କର ସମ୍ପର୍କ ରହିଛି । ନିଜ ଅଭିଯୋଗ ପତ୍ରରେ ବର୍ଷା ଅନୁଭବଙ୍କ ନିକଟରୁ ଘରଭଡ଼ା ବାବଦରେ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ନିମନ୍ତେ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା ଏବଂ ଚିକିତ୍ସା ଓ ରୋଜଗାର ହରାଇଥିବାରୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ମକଦ୍ଧମାଟି ମାନ୍ୟବର ଅଦାଲତ ପ୍ରୋଟେକ୍ସନ ଅଫିସରଙ୍କ ନିକଟକୁ ପଠାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏନେଇ ବର୍ଷା ଓ ଅନୁଭବଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନାହିଁ ।