ଅଭିନେତ୍ରୀ ବର୍ଷାଙ୍କ ଅଭିନବ ଅଭିଯାନ

ଅଭିନେତ୍ରୀ ବର୍ଷାଙ୍କ ଅଭିନବ ଅଭିଯାନ

ଅଭିନେତ୍ରୀ ବର୍ଷାଙ୍କ ଅଭିନବ ଅଭିଯାନ
ଭୁବନେଶ୍ୱର: ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ କରୋନା ବିରୋଧରେ ଅଭିଯାନ ଜାରି ରଖିଛନ୍ତି । ଏବେ ପୁଣି ଏକ ସଚେତନ ଭିଡିଓ ପ୍ରସ୍ତୁତ କରିଛନ୍ତି । ଏ ନେଇ ସେ କହିଛନ୍ତି, କରୋନାର ମୁକାବିଲା ପାଇଁ ଯେଉଁ ସଚେତନତା ଅବଲମ୍ବନ କରିବାକୁ କୁହାଯାଇଛି ତାକୁ ନେଇ ମୁଁ ଏବଂ ମୋର ଟିମ ‘ସମ୍ମାନିତା’ ଗୋଟିଏ ଭିନ୍ନ ଅଭିଯାନ ଆରମ୍ଭ କରିଛୁ । ଯେଉଁଥିରେ ମୋତେ ମୋ ଓଲିଉଡର କଳାକାରମାନେ ବହୁତ ସହଯୋଗ କରିଥିଲେ । ଫଳରେ ମୁଁ ଗୋଟିଏ ଭିଡିଓ କରିଥିଲି ଏବଂ ତାକୁ ସୋସିଆଲ ମିଡିଆରେ ସେୟାର କରିଥିଲି । ଯାହା ଆପଣମାନଙ୍କୁ ବହୁତ ଭଲ ଲାଗିଥିଲା । ସେମିତି ଆମେ ଆଉ ଗୋଟିଏ ପାଦ ଆଗକୁ ଯାଇ ସଚେତନତାର ଯେଉଁ ବାର୍ତ୍ତା ରହିଛି, ତାକୁ ଗୀତ ମାଧ୍ୟମରେ ପ୍ରସ୍ତୁତ କରି ଆପଣମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛୁ । ଏଥିରେ ଓଡ଼ିଶାର ସବୁ ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନେ ଗୀତ ଗାଇଛନ୍ତି । କିନ୍ତୁ ଏଥିପାଇଁ କେହି ଘରୁ ବାହାରି ଷ୍ଟୁଡିଓ ଯାଇ ଗୀତ ରେକର୍ଡ କରିନାହାନ୍ତି । ପ୍ରତିଷ୍ଠିତ କଣ୍ଠ ଶିଳ୍ପୀମାନେ ନିଜ ଘରେ ରହି ଭିଡିଓଟି ପ୍ରସ୍ତୁ କରି ମୋତେ ସେୟାର କରିଛନ୍ତି । ଯଥାସାଧ୍ୟ ତାକୁ ଏଡିଟିଂ କରିବାକୁ ଚେଷ୍ଟା କରିଛି । କେତେ ଦୂର ଠିକ୍‍ କରିଛି ଜାଣିନି । କିନ୍ତୁ ଏହା ପଛରେ ଆମର କେବଳ ଗୋଟିଏ ଉଦ୍ଦେଶ୍ୟ ଆପଣମାନେ ଏହାକୁ ଶୁଣନ୍ତୁ, ଦେଖନ୍ତୁ ଏବଂ ସଚେତନ ଓ ସତର୍କତା ଅବଲମ୍ବନ କରନ୍ତୁ । ମୋର ପୂରା ବିଶ୍ୱାସ ଭିଡିଓଟିକୁ ଦେଖିବେ ଏବଂ ସମସ୍ତ ନିୟମ ମାନିବେ ବୋଲି ବର୍ଷା କହିଛନ୍ତି । କଣ୍ଠ ଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟମ ପାଢ଼ୀ, କ୍ରିଷ୍ଣା ବେଉରା, ଈରା ମହାନ୍ତି ପ୍ରମୁଖ ଭିଡିଓରେ ନଜର ଆସିବା ସହ କଣ୍ଠଦାନ କରିଛନ୍ତି । ପାଖାପାଖି ୭ ମିନିଟ ଅବଧିର ଏହି ଭିଡିଓରେ ଗୀତର ଆରମ୍ଭ ଅନ୍ତରାଙ୍କ କଣ୍ଠରୁ ‘ଆମେ ହାତ ଧୋଇବା’ ରୁ ଆରମ୍ଭ ହୋଇ ଈରା ମହାନ୍ତିଙ୍କ କଣ୍ଠରେ ‘ଆମ କଳା ଠାକୁର’ଙ୍କ ପାଖରେ ଶେଷ ହୋଇଛି । ଭିଡିଓର ପ୍ରାରମ୍ଭ ପରି ଶେଷର ପୁଣି ବର୍ଷା ନଜର ଆସିଛନ୍ତି ଏବଂ ନିୟମ ପାଳନର କଥା ମନେ ପକାଇଛନ୍ତି । ଏହା ବ୍ୟତୀତ ଭିଡିଓରେ ଗୀତ ଗାଇଥିବା ସମସ୍ତ କଣ୍ଠଶିଳ୍ପୀ ବି ହାତଯୋଡ଼ି ବିନମ୍ର ଅନୁରୋଧ କରିଛନ୍ତି ‘ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ’ ଏବଂ ସରକାରଙ୍କ ନିୟମ ପାଳନ କରନ୍ତୁ, କଟକଣାକୁ ମାନନ୍ତୁ । ମନୋବଳ ଦୃଢ଼ କରି ଯୋଦ୍ଧା ଭାବରେ ଲଢ଼େଇ କରି ରଖନ୍ତୁ । ଆମେ ନିଶ୍ଚିତ ଜିତିବା । ବର୍ଷାଙ୍କ ପ୍ରସ୍ତୁତି ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ବିଭିନ୍ନ ପ୍ଲାଟଫର୍ମରେ ଉପଲବ୍ଧ ।