ଅଗଷ୍ଟ ଆରମ୍ଭରୁ ବଢ଼ିଲାଣି ନିଅଣ୍ଟିଆ ବର୍ଷା

ଅଗଷ୍ଟ ଆରମ୍ଭରୁ ବଢ଼ିଲାଣି ନିଅଣ୍ଟିଆ ବର୍ଷା

ଅଗଷ୍ଟ ଆରମ୍ଭରୁ ବଢ଼ିଲାଣି ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର : ୩ ଦିନ ହେଲା ରାଜ୍ୟରେ ବର୍ଷାର ପରିମାଣ ଖୁବ କମ ରହିଛି । ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି । ଫଳରେ ଅଗଷ୍ଟ ଆରମ୍ଭରୁ ହିଁ ନିଅଣ୍ଟିଆ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି । ଜୁନ ୧ ତରିଖରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୪୬୧.୬ମିମି ବର୍ଷା ରେକର୍ଡ ହୋଇଛି । ସ୍ୱାଭାବିକ ଭାବେ ଏହି ସମୟ ମଧ୍ୟରେ ୫୮୬.୮ ମିମି ବର୍ଷା ହୋଇଥାଏ । ଅର୍ଥାତ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୧% ନିଅଣ୍ଟିଆ ବର୍ଷା ହୋଇଛି । ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ସ୍ଥିତି ଉକ୍ରଟ ରହିଛି । ସେଗୁଡ଼ିକ ହେଲା ଭଦ୍ରକ, ଯାଜପୁର ଓ ଗଜପତି ଜିଲ୍ଲା । ଏଠାରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାଜ୍ୟର ୧୬ ଜିଲ୍ଲାରେ ସ୍ୱାର୍ଷା ହୋଇଥିବା ବେଳେ ୧୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଏବେ ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବି ମୌସୁମୀର ଦୁର୍ବଳ ରହିବ । ତେଣୁ ୨ ଦିନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । କିନ୍ତୁ ୪ ତାରିଖ ଆଡ଼କୁ ଉତ୍ତର ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବ । ବର୍ଷା ମଧ୍ୟ ହୋଇପାରେ ବୋଲି କେନ୍ଦ୍ର ସୂଚନା ଦେଇଛି ।