ବିଶ୍ୱର ଅଧାରୁ ଅଧିକ ପ୍ରାକୃତିକ ହ୍ରଦ ଶୁଖିଯାଉଛି
ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନ ପାଇଁ ବିଶ୍ୱର ବଡ଼ ବଡ଼ ହ୍ରଦ ଏବଂ ଜଳଭଣ୍ଡାରଗୁଡ଼ିକ ଶୁଖିବାରେ ଲାଗିଛି । ୧୯୯୦ ଦଶକ ଆରମ୍ଭରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଫଳରେ କୃଷିକୁ ଜଳଯୋଗାଣ, ଜଳବିଦ୍ୟୁତ୍ ଉତ୍ପାଦନ ଏବଂ ଲୋକଙ୍କ ବ୍ୟବହାର ପାଇଁ ଆବଶ୍ୟକ ଜଳ ପୂରଣ ନେଇ ଗବେଷକ ଓ ଜଳବିଜ୍ଞାନୀମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ଅନ୍ତର୍ଜାତୀୟ ସ୍ତରର ଗବେଷକମାନଙ୍କ କହିବାନୁଯାୟୀ, ବିଶ୍ୱର ପ୍ରମୁଖ ମଧୁରଜଳ ଉତ୍ସଗୁଡ଼ିକ ବାର୍ଷିକ ପ୍ରାୟ ୨୨ ଗିଗାଟନ ହାରରେ ଜଳରାଶି ହରାଉଛି । ୟୁରୋପ ଏବଂ ଏସିଆର କାସ୍ପିୟାନ ସାଗରଠାରୁ ଆରମ୍ଭ କରି ଦକ୍ଷିଣ ଆମେରିକାର ଟିଟିକାକା ହ୍ରଦରେ ଏଭଳି ପରିସ୍ଥିତି ଉପୁଜିଛି ।
ଆମେରିକାର ସର୍ବବୃହତ ହ୍ରଦ ମିଡ଼୍ ତୁଳନାରେ ଏହି ଜଳହ୍ରାସର ପରିମାଣ ପ୍ରାୟ ୧୭ଗୁଣ । ଜର୍ଣ୍ଣାଲ ସାଇନ୍ସରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଭର୍ଜିନିଆ ବିଶ୍ୱବିଦ୍ୟାୟଳରେ ଭୂପୃଷ୍ଠ ଜଳବିଜ୍ଞାନୀ ଫାଙ୍ଗଫାଙ୍ଗ ୟାଓଙ୍କ କହିବାନୁଯାୟୀ, ପ୍ରାକୃତିକ ହ୍ରଦରେ ୫୬ ପ୍ରତିଶତ ଜଳହ୍ରାସ ବିଶ୍ୱତାପନ ଏବଂ ମନୁଷ୍ୟଙ୍କ ବ୍ୟବହାର ଦ୍ୱାରା ହେଉଛି । କିନ୍ତୁ ଏଥିରେ ବିଶ୍ୱତାପନର ଅଂଶ ଅଧିକ । ଜଳବାୟୁ ପରିବର୍ତ୍ତନ ଦ୍ୱାରା ବିଶ୍ୱକୁ ଶୁଷ୍କ ଅଞ୍ଚଳ ଅଧିକ ଶୁଖିଲା ହୋଇଯାଏ । ଆଦ୍ରତା ଅଧିକ ରହୁଥିବା ଅଞ୍ଚଳରେ ମଧ୍ୟ ଜଳହ୍ରାସ ଅଧିକ ମାତ୍ରାରେ ଦେଖିବାକୁ ମିଳିବ । ତେଣୁ ଏସବୁ ଅଣଦେଖା କରିବା ଉଚିତ ନୁହେଁ ବୋଲି ୟାଓ କହିଛନ୍ତି । ବୈଜ୍ଞାନିକମାନେ ଉପଗ୍ରହ ଚିତ୍ର ଜରିଆରେ ଏବଂ ଜଳବାୟୁ ଓ ଜଳବିଜ୍ଞାନ ମଡେ଼ଲ ଆଧାରରେ ପାଖାପାଖି ୨ହଜାର ବୃହତ ହ୍ରଦର ଆକଳନ କରିଛନ୍ତି । ଏଥିରୁ ସେମାନେ ଜାଣିବାକୁ ପାଇଛନ୍ତି ଯେ ଲୋକଙ୍କ ମନଇଚ୍ଛା ଜଳ ବ୍ୟବହାର, ବର୍ଷାରେ ହେଉଥିବା ପରିବର୍ତ୍ତନ, ଜଳ ବୋହିଯିବା, ପଟୁ ବସିଯିବା ଏବଂ ତାପମାତ୍ରା ବୃଦ୍ଧି ଆଦି କାରଣରୁ ହ୍ରଦର ଜଳସ୍ତର ହ୍ରାସ ପାଉଛି । ୧୯୯୨ରୁ ୨୦୨୦ ମଧ୍ୟରେ ୫୩ ପ୍ରତିଶତ ହ୍ରଦରେ ଜଳହ୍ରାସ ଘଟିଛି ।




admin 