କୁଚକ୍ରୀ ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି, ,ଟୁକୁନି ସାହୁ କାହିଁକି ଏମିତି କହିଲେ ଜାଣନ୍ତୁ

କୁଚକ୍ରୀ ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି, ,ଟୁକୁନି ସାହୁ କାହିଁକି ଏମିତି କହିଲେ ଜାଣନ୍ତୁ

ରାଜ୍ୟରେ ଯେଉଁଭଳି ବିକାଶ ହେଉଛି ତାହାକୁ କୁଚକ୍ରୀ ଗୋଷ୍ଠୀ ଦେଖି ସହି ପାରୁନାହାନ୍ତି। ରାଜ୍ୟ ବର୍ତ୍ତମାନ ଶିଳ୍ପ,ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ କୃଷି ଭଳି ଗୁରୁତ୍ବପୁର୍ଣ୍ଣ କ୍ଷେତ୍ରରେ ଆଗକୁ ବଢିଚାଲିଛି। ଓଡ଼ିଶା ବର୍ତ୍ତମାନ ଦେଶର ଗୋଟିଏ ଆଗୁଆ ରାଜ୍ୟ ଭାବେ ପରିଗଣିତ ହେଉଛି। ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରାଯିବା ସହ କେନ୍ଦ୍ର ସରକାରଙ୍କ ଯୋଜନାର ସଫଳ ପରିଚାଳନା କରି ରାଜ୍ୟ ପୁରସ୍କୃତ ମଧ୍ୟ ହେଉଛି। ଲୋକମାନେ ପ୍ରଶାସନ ପାଖକୁ ନୁହେଁ ପ୍ରଶାସନ ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣୁଛନ୍ତି। ଯାହା ଦ୍ବାରା ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ହେଉଛି। କିନ୍ତୁ କୁଚକ୍ରୀ ଗୋଷ୍ଠୀଙ୍କୁ ଏହା ଭଲ ଲାଗୁନି। ସେମାନେ ଚାହୁଁନାହାନ୍ତି ଲୋକଙ୍କ ସମସ୍ୟାର ସମାଧାନ ହେଉ। ସେଥିପାଇଁ ବିଭ୍ରାନ୍ତିକର ବକ୍ତବ୍ୟ ଦେଇଚାଲିଛନ୍ତି ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ରାଜ୍ୟର ସମସ୍ତ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ ଗ୍ରାଉଣ୍ଠ ଜିରୋରେ ଲୋକଙ୍କ ସହ ସମସ୍ୟାର ସମାଧାନ କରିଛନ୍ତି। ତାହା କୁଚକ୍ରୀ ଗୋଷ୍ଠୀଙ୍କ ମୁଣ୍ଡକୁ ଖରାପ କରିଦେଇଛି। ଯେଉଁଥି ପାଇଁ ସେମାନେ ୫ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ହେଲିକପ୍ଟର ଖର୍ଚ୍ଚକୁ ନେଇ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

ମନ୍ତ୍ରୀ ଟୁକୁନି ସାହୁ ତାଙ୍କ ଏକ୍ସ(ଟ୍ବିଟର)ରେ ଲେଖିଛନ୍ତି କୁଚକ୍ରୀ ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଯେଉଁଭଳି ଭାବେ ଲୋକଙ୍କ ସମସ୍ୟା ବୁଝୁଛି ଓ ସମାଧାନ କରୁଛି ସେମାନଙ୍କର ମୁଣ୍ଡ କାମ କରୁନି। ସେଥିପାଇଁ ଇଆଡୁ ସିଆଡୁ ବୟାନ ଦେଉଛନ୍ତି। ଏମାନେ ଚାହୁଁନଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ, ସେଥିପାଇଁ ବିଭ୍ରାନ୍ତିକର ବକ୍ତବ୍ୟ ଦେଇଚାଲିଛନ୍ତି। କିଏ କହୁଛି ହେଲିକପ୍ଟରରେ ଗସ୍ତ ବାବଦକୁ ୩୦୦ କୋଟି ଖର୍ଚ୍ଚ ହୋଇଛି ତ’ କିଏ କହୁଛି ୫୦୦ କୋଟି। ସେମାନଙ୍କ ନିଜ କଥାରେ ବି ତାଳମେଳ ନାହିଁ।

ପ୍ରକୃତରେ ଗତ ୫ ବର୍ଷରେ ହେଲିକପଟରରେ ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଖର୍ଚ୍ଚ ହୋଇଛି। ଅର୍ଥାତ୍ ବର୍ଷକୁ ହାରାହାରି ୧୦ ରୁ ୧୨ କୋଟି ଟଙ୍କା ବ୍ୟୟ ହୋଇଛି। ଆସନ୍ତା ବିଧାନସଭା ଅଧିବେଶନରେ ମୁଁ ଏବାବଦରେ ସବୁ ତଥ୍ୟ ରଖିବି। ସେତେବେଳେ ଏମାନଙ୍କର ସବୁ ମିଥ୍ୟା ପ୍ରଚାର ଧରାପଡିଯିବ ଓ ମୁଖା ଖୋଲିଯିବ। ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏପରି ମିଥ୍ୟା ପ୍ରଚାର କରୁଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା ଦରକାର। ଏମାନଙ୍କ ପାଖରେ ଯଦି ସାମାନ୍ୟ ଲଜ୍ଜା ଥିବ ତେବେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଥିବାରୁ ଓଡିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବେ ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।