୩୫ କୋଟି ବର୍ଷ ତଳର ବିଚିତ୍ର ବୃକ୍ଷ
କାନାଡାର ନିଉ ବ୍ରୁନସ୍ୟୁକି ଠାରୁ ସଦ୍ୟ ଆବିଷ୍କୃତ ବୃକ୍ଷ ଜୀବାଶ୍ମରୁ ପ୍ରାଚୀନ କାଳର ଗଛମାନଙ୍କ ଇତିହାସରେ ନୂତନ ତଥ୍ୟ ଯୋଡ଼ିହୋଇଛି। ଏହି ଜୀବାଶ୍ମରୁ ଗଛର ବିବର୍ତ୍ତନ ନେଇ ନୂଆ ଧାରଣା ମିଳିଛି। ବରଫ ତଳେ ସୁରକ୍ଷିତ ରହିଥିବା ଏହି ଜୀବାଶ୍ମ ସମୂହରେ ଏକ ମୁକୁଟ ଆକୃତିର ଗଛ, ୩୫ କୋଟି ବର୍ଷ ତଳର ବୃକ୍ଷ ସଂରଚନା ସମ୍ପର୍କରେ ଆଲୋକପାତ କରିଛି। ଉକ୍ତ ବୃକ୍ଷର ବୈଜ୍ଞାନିକ ନାମ ‘ସାନ୍ଫୋଡିଆକୌଲିସ ଡେନ୍ସିଫୋଡିଆ’। ସେହି ଗଛର ଡେଙ୍ଗା ଓ ସରୁ ଗଣ୍ଡିରେ ଲମ୍ବା ପତ୍ର ଥିଲା। ସୁଦୂର ଅତୀତରେ ଭୂମିକମ୍ପ ଯୋଗୁଁ ଏକ ହ୍ରଦ ଭିତରେ ଉକ୍ତ ଗଛ ପୋତି ହୋଇ ଏପରି ଜୀବାଶ୍ମରେ ପରିଣତ ହୋଇଥିବା କୁହାଯାଇଛି। ଏହି ବୃକ୍ଷ ଫର୍ଣ୍ଣ ଜାତୀୟ ବା ପାମ୍ ଗଛ ସଦୃଶ।
ତେବେ ପାମ୍ ଗଛର ଉପର ଆଡ଼କୁ ଖୁବ୍ କମ୍ ପତ୍ର ରହୁଥିବା ବେଳେ ଉକ୍ତ ଗଛର ଶୀର୍ଷରେ ପାଖାପାଖି ୨୫୦ ସଂଖ୍ୟକ ପତ୍ର ରହିଛି। ଉକ୍ତ ଗଛର ପ୍ରାୟ ୧୬ ସେ.ମି. ବ୍ୟାସ ବିଶିଷ୍ଟ ଗଣ୍ଡିରେ ବୋତଲ ସଫା ବ୍ରସ୍ର ବ୍ରିସଲ୍ ପରି ସାଢ଼େ ୫ ମିଟର ଯାଏ ଲମ୍ବା ପତ୍ରଗୁଡ଼ିକ ଖୁନ୍ଦାଖୁନ୍ଦି ହୋଇ ରହିଛି। ସର୍ବୋପରି ପାମ୍ ଗଛର ଉତ୍ପତ୍ତି ବହୁ ପରେ ହୋଇଥିଲା ବୋଲି ପୂର୍ବ ଧାରଣା ରହିଥିବା ବେଳେ ଏହି ଜୀବାଶ୍ମର ଆବିଷ୍କାର ସେହି ଧାରଣାକୁ ଭୁଲ୍ ପ୍ରମାଣିତ କରିଛି। ସୁତରାଂ, ଜୀବଜଗତର ବିବର୍ତ୍ତନ ସମ୍ପର୍କରେ ଏହା ନୂତନ ଜ୍ଞାନ ପ୍ରଦାନ କରିବ ବୋଲି ଉଦ୍ଭିଦ ବିଜ୍ଞାନୀମାନେ ଆଶାବାଦୀ ଅଛନ୍ତି।




admin 