ରାଜଧାନୀ ଉପକଣ୍ଠରେ ବୁଲୁଛନ୍ତି ବାଘ, ସିଂହ

ରାଜଧାନୀ ଉପକଣ୍ଠରେ ବୁଲୁଛନ୍ତି ବାଘ, ସିଂହ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବୁଲୁଛନ୍ତି ବାଘ, ସିଂହ । ସିଟି ଡିଭିଜନ ଅନ୍ତର୍ଗତ ଘଙ୍ଗାପାଟଣା-ମେଣ୍ଢାଶାଳ ସଂରକ୍ଷିତ ଜଙ୍ଗଲରେ ଦିନରେ ବାଘ ଓ ରାତିରେ ସିଂହ ବୁଲୁଥିବା ଖବର ପ୍ରଚାରିତ ହୋଇଛି । ଏକ ସିଂହ ଏହି ଜଙ୍ଗଲରେ ବୁଲୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଲୋକେ ତାଟିକବାଟ ଦେଇ ଘରେ ପଶିଛନ୍ତି । ବନବିଭାଗ  କର୍ମଚାରୀ ପହଞ୍ଚି ଲୋକଙ୍କୁ ଏହା ଗୁଜବ ବୋଲି କହି ବୁଲୁଥିଲେ ମଧ୍ୟ ଆତଙ୍କ ଥମିନାହିଁ । ପ୍ରାପ୍ତ ସୂଚନା ଅନୁଯାୟୀ, ଘଙ୍ଗାପାଟଣାରେ ଥିବା କେରାଣ୍ଡିଆ ବନ୍ଧ ଉପରେ  କିଛି ପାହୁଲ ଚିହ୍ନ ପଡ଼ିଥିବା ଲୋକେ ଦେଖି ଏହା ବାଘର ବୋଲି ପ୍ରଚାରିତ ହୋଇଥିଲା । ବାଘ ପାଦ ଚିହ୍ନ ଦେଖିବାକୁ ସେଠାରେ ଲୋକଙ୍କ ଭିଡ଼  ଜମିଥିଲା ।

ଖବରପାଇ ବନବିଭାଗ କର୍ମଚାରୀ ପହଞ୍ଚି ପାଦଚିହ୍ନର ମାପଚୁପ କରିଥିଲେ । ପ୍ଲାଷ୍ଟର  ଅଫ୍‌ ପ୍ୟାରିସରେ ପାଦଚିହ୍ନର ନମୁନା ସଂଗ୍ରହ  କରି ନେଇଥିଲେ । ଏହାପରେ ଲୋକଙ୍କ ଭୟ ବଢ଼ି  ଯାଇଥିଲା । ସେପଟେ ରାତିରେ ଏକ ସିଂହ ବୁଲୁଥିବା  ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସିଂହଟି  ଏକ ଜଙ୍ଗଲିଆ ଚଲା ରାସ୍ତାରେ ବୁଲୁଥିଲା । ଲୋକେ  ପାଟିତୁଣ୍ଡ କରିବା ଯୋଗୁ ସିଂହଟି ଜଙ୍ଗଲ ଭିତରକୁ  ପଳାଇ ଯିବାର ଦେଖା ଯାଇଥିଲା । କ୍ଷୀପ୍ରଗତିରେ ଭିଡିଓଟି ଭାଇରାଲ   ହେବାପରେ ରାଜଧାନୀ ଉପକଣ୍ଠ  ପାଇକରାପୁର, ମଦନପୁର, କଣ୍ଟାବାଡ଼ ଓ   ଚନ୍ଦକା ପଞ୍ଚାୟତର ବିଭିନ୍ନ ଗ୍ରାମବାସୀଙ୍କ   ମଧ୍ୟରେ ଆତଙ୍କ ଖେଳି ଯାଇଥିଲା ।  

ଏନେଇ ନନ୍ଦନକାନନ  କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରା  ଯାଇଥିଲା । ନନ୍ଦନକାନନରୁ ସିଂହ ଖସି  ବାହାରକୁ ଯିବା ଅସମ୍ଭବ ଏବଂ ଏହା  ଗୁଜବ ବୋଲି ସେ କହିଥିଲେ । ଏନେଇ  ସିଟି ଡିଏଫ୍‌ଓ ଡ.ଅଜିତ କୁମାର  ଶତପଥୀ କହିଛନ୍ତି, ଏହି ଭିଡିଓଟି ୩  ବର୍ଷ ତଳର ।