ନୂଆ ସଂସଦ ଭବନରେ ସ୍ଥାପନ ହେଲା ରାଜଦଣ୍ଡ
ନୂଆଦିଲ୍ଲୀ: ସ୍ଥାପନ ହେଲା ନୂତନ ସଂସଦ ଭବନ । ହୋମ-ପୂଜା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନରେ ଐତିହାସିକ ‘ସେଙ୍ଗୋଲ୍’ ସ୍ଥାପନ କରିଛନ୍ତି । ନୂଆ ସଂସଦ ଭବନ ଲୋକାର୍ପଣ ନିମନ୍ତେ ଆୟୋଜିତ ହୋମ ସମ୍ପନ୍ନ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ‘ସେଙ୍ଗୋଲ୍’ ଓ ଅଧୀନମ୍ ମହନ୍ତମାନଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ । ଏହି ପବିତ୍ର ‘ସେଙ୍ଗୋଲ୍’କୁ ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭା କକ୍ଷରେ ଥିବା ବାଚସ୍ପତିଙ୍କ ଆସନର ଦକ୍ଷିଣ ପାର୍ଶ୍ୱରେ ସ୍ଥାପନା କରିଛନ୍ତି । ଏହାପରେ, ଅଧୀନମମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ଐତିହାସିକ ‘ସେଙ୍ଗୋଲ୍’ ପ୍ରଦାନ କରିଥିଲେ । ‘ସେଙ୍ଗୋଲ୍’ ଧରି ପ୍ରଧାନମନ୍ତ୍ରୀ ଅଧୀନମ୍ ମାନଙ୍କ ଗହଣରେ ନୂଆ ସଂସଦ ଭବନରେ ଥିବା ଲୋକସଭା ପ୍ରକୋଷ୍ଠରେ ପ୍ରବେଶ କରିଥିଲେ । ସାଧୁସନ୍ଥଙ୍କ ଗହଣରେ ପ୍ରଧାନମନ୍ତ୍ରୀ ‘ସେଙ୍ଗୋଲ୍’ ଧରି ଯାଉଥିବା ବେଳେ ‘ନାଦସ୍ୱରମ୍’ ବାଦ୍ୟ ବଜା ଯାଇଥିଲା ।
ଦୀର୍ଘ ୭ ଦଶନ୍ଧି ଧରି ଏହି ଐତିହାସିକ ‘ସେଙ୍ଗୋଲ୍’ ରଖାଯାଇଥିବା ଆହ୍ଲାବାଦ ସଂଗ୍ରହାଳୟର ଅଧିକାରୀମାନେ କହିଛନ୍ତି, ସେମାନେ ସାଇତି ରଖିଥିବା ଅମୂଲ୍ୟ ସମ୍ପଦ ଜାତୀୟ ରାଜଧାନୀସ୍ଥିତ ନୂଆ ସଂସଦ ଭବନକୁ ଯାଉଥିବାରୁ ସେମାନେ ଓ ପ୍ରୟାଗରାଜବାସୀ ଗୌରବାନ୍ୱିତ ହୋଇଛନ୍ତି ।