୨୫ରେ ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ

୨୫ରେ ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି। ତେବେ ଆସନ୍ତା ୨୫ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ଆସିପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।ସକ୍ରିୟ ମୌସୁମୀ ଏବଂ ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ହାରାହାରି ୩୨.୧ ମିମି ବର୍ଷା ରେକର୍ଡ କରାଯାଇଛି। ଗତ ୩୬ ଘଣ୍ଟାରେ ଖୋର୍ଦ୍ଧାରେ ୮୮, ନବରଙ୍ଗପୁରରେ ୮୧, ଯାଜପୁର ୮୨, ପୁରୀ ୭୦, ଭୁବନେଶ୍ୱର ୬୫, ବାଲେଶ୍ୱର ୪୬, ଚାନ୍ଦବାଲି ୪୦, କୋରାପୁଟ ୫୦, ତାଳଚେର ୯୫, ଟିଟିଲାଗଡ଼, ଦାରିଙ୍ଗବାଡ଼ି ୬୦ ଓ ଫୁଲବାଣୀରେ ୫୪ ମିମି ବର୍ଷା ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର-ଓଡ଼ିଶା ତତସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଏହା ଆଗାମୀ ୨ ରୁ ୩ ଦିନ ଯାଏଁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡ଼ିଶା -ଉତ୍ତର ଛତିଶଗଡ଼ ମୁହାଁ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଶନିବାର ସକାଳରୁ ରବିବାର ସକାଳ ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।