ବର୍ଷା:ଏହି ସବୁ ଜିଲ୍ଲାକୁ ସତର୍କ ରହିବାକୁ ଏସ୍ଆର୍ସିଙ୍କ ପରାମର୍ଶ
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉପକୂଳ ମୁହାଁ ହେଉଛି। ଏହାର ପ୍ରଭାବରେ ବୁଧବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାରେ ୭ ସେଣ୍ଟିମିଟରରୁ ୨୦ ସେଣ୍ଟିମିଟର ପର୍ୟ୍ୟନ୍ତ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ୪ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଅନୁରୂପ ଭାବରେ ଦେବଗଡ଼, ଅନୁଗୋଳ, କେନ୍ଦୁଝର, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କାରେ ଅରେଞ୍ଜ ଆଲର୍ଟ ଏବଂ ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, କଟକ, ନୟାଗଡ଼, ନବରଙ୍ଗପୁର, ଯାଜପୁର ଓ ଭଦ୍ରକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ର ସୂଚନା ଆଧାରରେ ଏହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସ୍ଆର୍ସି ପରାମର୍ଶ ଦେଇଛନ୍ତି।