ବଡ଼ ବର୍ଷା ଆସୁଛି

ଭୁବନେଶ୍ୱର : ବଡ଼ ବର୍ଷା ଆସୁଛି । ବିଭିନ୍ନ ମଡେଲ୍କୁ ନେଇ ପାଣିପାଗ ବିଭାଗ ବିସ୍ତାରିତ ପୂର୍ବାନୁମାନ ଜାରି କରିଛି । ଏହି ଆକଳନ ଅନୁସାରେ ଆସନ୍ତା ୧୯ ତାରିଖବେଳକୁ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଯାହାକି ୨୧ ତାରିଖ ସୁଦ୍ଧା ଅବପାତ (ଡିପ୍ରେସନ) ରୂପ ନେଇପାରେ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଓଡ଼ିଶା ଏବଂ ଛତିଶଗଡ଼ ଆଡ଼କୁ ଆସିପାରେ । ଏହା ଓଡ଼ିଶାରେ ଢେର ବର୍ଷା କରାଇପାରେ ।
ସେହିପରି ପରବର୍ତ୍ତୀ ଲଘୁଚାପ ୨୧ରୁ ୨୭ ତାରିଖ ଭିତରେ ହୋଇପାରେ, ତାହା ମଧ୍ୟ ଅବପାତରେ ପରିଣତ ହୋଇପାରେ । ଜିଏଫଏସ ମଡେଲ୍ ଆକଳନ ଅନୁସାରେ ୧୯/୨୦ ତାରିଖରେ ଗୋଟିଏ ଲଘୁଚାପ ଓ ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ ହୋଇପାରେ । ଉଭୟ ଲଘୁଚାପ ଓଡ଼ିଶା ନିକଟବର୍ତ୍ତୀ ରହିବା ସମ୍ଭାବନା ଅଛି । ସେହିପରି ପାଣିପାଗ ବିଭାଗର ବିସ୍ତାରିତ ରେଞ୍ଜ୍ ମଡେଲ୍ ଆକଳନ ଅନୁସାରେ ଏବେ ରାଜ୍ୟରେ ଭଲ ବର୍ଷା ସମ୍ଭାବନା ରହିଛି । ଜୁଲାଇ ୧୪ରୁ ଅଗଷ୍ଟ ୧୦ ତାରିଖ ପର୍ୟ୍ୟନ୍ତ ଓଡ଼ିଶାରେ ବର୍ଷା ପରିମାଣ ଭଲ ରହିବା ଅନୁମାନ କରାଯାଉଛି । ବିଶେଷ କରି ୨୧ରୁ ୨୭ ଭିତରେ ଅଧିକ ବର୍ଷା ସମ୍ଭାବନା ଅଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି, ଆସନ୍ତା ୧୬ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ବର୍ତ୍ତମାନ ମୌସୁମୀ ଟ୍ରଫ ସହ ପଶ୍ଚିମ କେନ୍ଦ୍ରୀୟ ଏବଂ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ରହିଛି । ରାଜ୍ୟରେ ନିୟମିତ ବର୍ଷା ସମ୍ଭାବନା ଅଛି । ୧୭ରୁ ବର୍ଷା ପରିମାଣ ବଢ଼ିବ ।
ଆସନ୍ତାକାଲି (ଶୁକ୍ରବାର) ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ବରଗଡ଼, ନୂଆପଡ଼ା, ସୋନପୁର, ସମ୍ବଲପୁର, ବୌଦ୍ଧ, ଦେବଗଡ଼, କେନ୍ଦୁଝରରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୧୭ରୁ ବର୍ଷା ପରିମାଣ ବଢ଼ିବ । ଆଜି ଦିନ ଭିତରେ ମାଲକାନଗିରିରେ ୩୩ ମିଲିମିଟର, ନୟାଗଡ଼ରେ ୧୧, ଚାନ୍ଦବାଲିରେ ୧୧.୬ ମିମି ବର୍ଷା ହୋଇଥିବାବେଳେ ଭୁବନେଶ୍ୱର ସମେତ କିଛି ଜାଗାରେ ହାଲୁକା ବର୍ଷା ହୋଇଛି । ବଡ଼ ବର୍ଷା ଅଭାବରୁ ରାଜ୍ୟରେ ଏବେ ବି ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଛି ।