୨୬ରେ କଟକ ଆସିବେ ରାଷ୍ଟ୍ରପତି, ୨୭ରେ ଭଦ୍ରକ ଗସ୍ତ
କଟକ: ଆସନ୍ତା ୨୬ ତାରିଖରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଏସ୍ସିବି ମେଡିକାଲ୍ କଲେଜ ଛାତ୍ର ସଂସଦର ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ । ଏନେଇ ରାଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ଆସିଥିବା ଚିଠି ଏସ୍ସିବି କଲେଜ କର୍ତ୍ତୃପକ୍ଷଙ୍କ ହସ୍ତଗତ ହୋଇଛି । ଏସ୍ସିବିରେ ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମ ପ୍ରାୟ ସ୍ଥିର ହୋଇଥିବା ଜଣାପଡ଼ିବା ପରେ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଏଥିପାଇଁ ବୁଧବାର କଲେଜ ଅଧ୍ୟକ୍ଷକଙ୍କ କାର୍ୟ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଏଥିରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରସନଜିତ୍ ମହାନ୍ତିଙ୍କ ସହିତ ଅଣ୍ଡର ଗ୍ରାଜୁଏଟ୍ ସଂଘର ସଭାପତି, ସମ୍ପାଦକ ଏବଂ କଲେଜର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏସ୍ସିବିକୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଆସୁଥିବାରୁ କାର୍ୟ୍ୟକ୍ରମକୁ ବ୍ୟାପକ ଭାବେ ଆୟୋଜନ କରିବା ଲାଗି ଛାତ୍ର ସଂସଦ ସହିତ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ୍ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଛନ୍ତି । ଏହି ଅବସରରେ କଲେଜ ଅଧ୍ୟକ୍ଷ ପ୍ରଫେସର ମହାନ୍ତି ଗୁରୁବାର ଏସ୍ସିବି କଲେଜ କାଉନ୍ସିଲ୍ ବୈଠକ ଡକାଇଛନ୍ତି । ଏଥିରେ ହସ୍ପିଟାଲ୍ ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟମାନେ ଯୋଗଦେବେ ।
୨୭ ତାରିଖ ରାଷ୍ଟ୍ରପତି ଭଦ୍ରକ ଗସ୍ତ କରିବେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି ।