ଯୋଗ୍ୟ ହିତାଧିକାରୀ ପାଇବେ ଘର
ଭୁବନେଶ୍ୱର: ଶୀଘ୍ର ବଣ୍ଟାଯିବ ଓଡ଼ିଶାକୁ ଆସିଥିବା ୯ ଲକ୍ଷ ଆବାସ ଘର । ବହୁ ଅଯୋଗ୍ୟ ହିତାଧିକାରୀ ଘର ପାଉଥିବା ନେଇ ବିଭିନ୍ନ ବର୍ଗରୁ ଅଭିଯୋଗ ଆସିବା ପରେ ସାଧାରଣ ଜନତାଙ୍କଠାରୁ ଅଭିଯୋଗ ମଗାଯାଇଥିଲା । ସେସବୁର ତର୍ଜମା ହୋଇସାରିଛି । ଶୀଘ୍ର ରାଜ୍ୟକୁ ଆସିଥିବା ଆବାସ ଘର ଆବଣ୍ଟନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅମାତ କହିଛନ୍ତି, ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ବିଭାଗକୁ ନୂଆ ଟାସ୍କ ଦେଇଛନ୍ତି । ରାଜ୍ୟର ସମସ୍ତ ବ୍ଲକରେ ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମିଶନ ମୋଡରେ ମାର୍କେଟିଂ ଲିଙ୍କେଜ୍ ସହିତ ସ୍ଥାପନ ହେବ ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ ।
ଆସନ୍ତା ଏକ ବର୍ଷ ମଧ୍ୟରେ ସମସ୍ତ ବ୍ଲକରେ ମିଶନ୍ ଶକ୍ତି କାଫେ ନିର୍ମାଣ ଏବଂ କାର୍ୟ୍ୟକ୍ଷମ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଅବ୍ୟବହୃତ ହୋଇ ପଡ଼ିଥିବା ସରକାରୀ ଅଟ୍ଟାଳିକାକୁ ୩ ମାସ ମଧ୍ୟରେ ସ୍ଥାନୀୟ ମିଶନ୍ ଶକ୍ତି ଗୋଷ୍ଠୀକୁ ହସ୍ତାନ୍ତର, ଓରମାସ୍କୁ ଅଧିକ କ୍ରିୟାଶୀଳ, ସମସ୍ତ ଘରକୁ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୧% ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି । ସେହିପରି ୫୭ ହଜାର କୋଟି ଟଙ୍କା ବ୍ୟୟରେ ୨୦୬ଟି ମେଗା ପାନୀୟ ଜଳ ପ୍ରକଳ୍ପ ଓ ୧୩ହଜାର ସିଙ୍ଗଲ୍ ଭିଲେଜ୍ ପାଇପ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତିି । ଗତ ୪ ବର୍ଷ ମଧ୍ୟରେ ରାଜ୍ୟ ମନରେଗା କାର୍ୟ୍ୟାନ୍ୱୟନରେ ଦେଶର ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହୋଇଛି । ମନରେଗା ଏବଂ ଅନ୍ୟାନ୍ୟ ବିକାଶମୂଳକ ଯୋଜନା ସମନ୍ୱୟର ଦୀର୍ଘସ୍ଥାୟୀ ସମ୍ପତ୍ତି ସୃଷ୍ଟି ପାଇଁ ରାଜ୍ୟର ପ୍ରୟାସକୁ ଜାତୀୟସ୍ତରରେ ପ୍ରଶଂସା କରାଯାଇଛି । ମହାତ୍ମା ଗାନ୍ଧି ନରେଗା ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ ପାଇଁ ୧୨ଲକ୍ଷରୁ ଅଧିକ ପ୍ରକଳ୍ପ କାମ ସରିଛି ।




admin 