ଶକ୍ତିମନ୍ତ୍ରୀଙ୍କ ସଭାରେ କଟିଗଲା ବିଜୁଳି

ବାଲେଶ୍ୱର : ବାଲେଶ୍ୱର ବାହାନଗାରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ସଭାରେ କଟିଗଲା ବିଜୁଳି । ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ସଭା ଚାଲିଥିବା ବେଳେ ବିଜୁଳି କାଟ୍ ହୋଇଛି । ବାହାନଗାରେ ଚାଲିଥିବା ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟୁତ କାଟ ଯୋଗୁଁ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ହଟହଟା ହୋଇଛନ୍ତି । ପାୱାର କଟ୍ ନେଇ ଗଣମାଧ୍ୟମ ପ୍ରଶ୍ନ କରିବାରୁ ମୁହଁ ବୁଲାଇ ଚାଲିଗଲେ ମନ୍ତ୍ରୀ ପ୍ରତାପ ଦେବ । ଗତ କିଛି ଦିନ ତଳେ ପାୱାର କଟ୍ ହେଉନଥିବା କହି ସମାଲୋଚିତ ହେଉଛନ୍ତି ଶକ୍ତିମନ୍ତ୍ରୀ । ଏହାସହ ରାଜ୍ୟରେ ଭିତିଭୂମି ଦୁର୍ବଳ ଥିବା କହିଥିଲେ ଶକ୍ତିମନ୍ତ୍ରୀ ।
ତେବେ ରାଜ୍ୟରେ ଅଘୋଷିତ ବିଜୁଳି କାଟକୁ ମୁଖ୍ୟ ଶାସନ ସଚିବ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ବିଜୁଳି ବିଭ୍ରାଟ୍ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ବିଶେଷକରି କାଳବୈଶାଖୀ ପରେ ପୁନରୁଦ୍ଧାର କାର୍ୟ୍ୟ କିପରି ଶୀଘ୍ର ହୋଇପାରିବ ଏବଂ ଯେଉଁଠି ବିଜୁଳି ସମସ୍ୟା ହେଉଛି ତାକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟ ଶାସନ ସଚିବ ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟୁତ୍ କାଟ୍ ସମସ୍ୟାକୁ ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ଶକ୍ତି ବିଭାଗ ଓ ବିତରଣ କମ୍ପାନୀ ମଧ୍ୟରେ ସମନ୍ୱୟ ରକ୍ଷା କରି ବିଦ୍ୟୁତ୍ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସବ ଷ୍ଟେସନ ଓ ଷ୍ଟେସନ ସହ ଯୋଗାଯୋଗ କରି ନିରବଛିନ୍ନ ବିଦ୍ୟୁତ୍ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୋସିଆଲ ମିଡ଼ିଆରେ ଆସୁଥିବା ଅଭିଯୋଗକୁ ଗୁରୁତର ସହ ନେଇ ଯଥାଶୀଘ୍ର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଜୁଳି କଟିବା ନେଇ ଲୋକଙ୍କ ଫୋନ କଲ ଆସିଲେ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।