ଆଜି ମୋ ଜଙ୍ଗଲ ଜମି ଯୋଜନା ଲୋକାର୍ପଣ

ଆଜି ମୋ ଜଙ୍ଗଲ ଜମି ଯୋଜନା ଲୋକାର୍ପଣ

ଭୁବନେଶ୍ୱର : ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ କାର୍ୟ୍ୟ ତ୍ୱରାନ୍ୱିତ ହେବ । ବକେୟା ପଡ଼ିଥିବା ସମସ୍ତ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ଆବେଦନ ଗୁଡ଼ିକର ଫଏସଲା ଶୀଘ୍ର ହେବ । ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରୁଛନ୍ତି ନୂଆ ଯୋଜନା । ଆଜି ଲୋକସେବା ଭବନରେ ମୋ ଜଙ୍ଗଲ ଜମି ଯୋଜନାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା ମୁତାବକ ସମସ୍ତ ଜିଲ୍ଲା ଓ ତହସିଲ ସ୍ତରରେ ଗଠିତ ହେବ ଜଙ୍ଗଲ ଅଧିକାର ଆଇନ ସେଲ୍‌ । ୩୦ଟି ଜିଲ୍ଲାର ୨୧୭ ତହସିଲରେ ଏହି ସେଲ୍‌ ଜଙ୍ଗଲ ଅଧିକାର ଆଇନ-୨୦୦୬ର କାର୍ୟ୍ୟକାରୀ ଦିଗରେ ସ୍ୱତନ୍ତ୍ର ଭାବେ କାର୍ୟ୍ୟ କରିବ । ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଜମି ଅଧିକାର ସ୍ୱତ୍ତ୍ୱ ପ୍ରଦାନ କାର୍ୟ୍ୟ ଯୁଦ୍ଧକାଳୀନ ଭିତ୍ତିରେ ହେବ । ଯେଉଁମାନଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିଛି, ସରକାରୀ ରେକର୍ଡରେ ଆବଶ୍ୟକ ସଂଶୋଧନ କାର୍ୟ୍ୟ କରାଯିବ । ସର୍ଭେ ହୋଇ ନଥିବା ଜଙ୍ଗଲ ଗାଁଗୁଡ଼ିକୁ ରାଜସ୍ୱ ଗ୍ରାମ ମାନ୍ୟତା ପ୍ରଦାନ ଦିଗରେ ଏହି ସେଲ୍‌ ବିଶେଷ ଦୃଷ୍ଟି ଦେବ ।
ରାଜ୍ୟସ୍ତରରେ ଜନଜାତି ଉନ୍ନୟନ ବିଭାଗ ନୋଡାଲ୍‌ ଏଜେନସୀ ଭାବେ ଏହି କାର୍ୟ୍ୟର ନିୟମିତ ସମୀକ୍ଷା କରିବ । ସେହିପରି ତହସିଲ ସ୍ତରରେ ତହସିଲଦାରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ । ପ୍ରତି ମାସରେ ଏହି କମିଟି ବୈଠକ ଥରେ ବସିବ । ଗ୍ରାମସଭା ଓ ବୋଷ୍ଠୀ ବନ ପରିଚାଳନା କମିଟିଗୁଡ଼ିକର ସହଭାଗିତାରେ ଏହି କାର୍ୟ୍ୟ ହେବ । ଜଙ୍ଗଲ ଜମି ପଟ୍ଟା ପାଇବାକୁ ଯୋଗ୍ୟ ହିତାଧିକାରୀ ଚିହ୍ନଟ କାର୍ୟ୍ୟ ଗ୍ରାମସଭା ସ୍ତରରେ କରାଯିବ । ୨୦୦୫ ଡିସେମ୍ବର ପୂର୍ବରୁ ଯେଉଁ ଜନଜାତି ପରିବାର ଜଙ୍ଗଲ ଜମି ଦଖଲରେ ରଖିଥିବେ ସେମାନଙ୍କୁ ଏହି ଅଧିକାର ପ୍ରଦାନ କରାଯିବ ।