ପ୍ରଧାନମନ୍ତ୍ରୀଙ୍କ ‘ମନ କୀ ବାତ୍’ର ୧୦୦ ତମ ସଂସ୍କରଣ
ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ୟ୍ୟକ୍ରମ ‘ମନ କୀ ବାତ୍’ର ୧୦୦ ତମ ସଂସ୍କରଣ ପ୍ରସାରଣ କରାଯିବ । ପୂର୍ବାହ୍ନ ୧୧ଟାରେ ଆକାଶବାଣୀ ଓ ଦୂରଦର୍ଶନ ଏବଂ ଏହା ସହିତ ଜଡିତ ସମସ୍ତ ନେଟୱାର୍କରେ ଏହାର ସିଧା ପ୍ରସାରଣ ହେବ । ମନ କୀ ବାତ୍ର ଏହି ସଂସ୍କରଣକୁ ନିଆରା କରିବା ଲାଗି ଦେଶବ୍ୟାପୀ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି ।
ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ମଧ୍ୟ ଏହାର ସିଧାପ୍ରସାରଣ କରାଯିବ । ଜାତିସଂଘରେ ଅବସ୍ଥାପିତ ଭାରତୀୟ ସ୍ଥାୟୀ ମିଶନ ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦିଆଯାଇଛି । ମୁଖ୍ୟାଳୟର ଟ୍ରଷ୍ଟିସିପ କାଉନସିଲ ଚାମ୍ବରରେ ଏହା ଶୁଣାଯିବ । ଜାତିସଂଘ ମୁଖ୍ୟାଳୟରେ ଏହାର ସିଧାପ୍ରସାରଣ ଏକ ଐତିହାସିକ ତଥା ଅଭୂତପୂର୍ବ ଘଟଣା ହେବ । ମନ କୀ ବାତ୍ ଏକ ରାଷ୍ଟ୍ରୀୟ ମାସିକ ପରମ୍ପରା ହୋଇଯାଇଛି । ଯାହାକି ଲକ୍ଷାଧିକ ଲୋକଙ୍କୁ ଭାରତର ବିକାଶ ଯାତ୍ରାରେ ଭାଗ ନେବାକୁ ପ୍ରେରିତ କରୁଛି । ବାଣିଜ୍ୟ ଦୂତାବାସ ପକ୍ଷରୁ ମଧ୍ୟ ପ୍ରବାସୀ ଭାରତୀୟମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ସଂସ୍କରଣ ଶୁଣାଇବାର ବ୍ୟବସ୍ଥା କରାଯାଇଛି । ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୧୦୦ତମ ମନ୍ କୀ ବାତ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍ କରି ସେ କହିଛନ୍ତି ଏହି ମାସିକିଆ ରେଡିଓ କାର୍ୟ୍ୟକ୍ରମ ପରିମଳ, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଓ ନିରନ୍ତର ବିକାଶ ଲକ୍ଷ୍ୟ କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଇଛି ।
ସେହିଭଳି ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ମନ କୀ ବାତ୍ର ସ୍ୱତନ୍ତ୍ର ସ୍କ୍ରିନିଂ ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରସାର ଭାରତୀ ଓ ପିଆଇବି ପକ୍ଷରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମୋଦି ୨୦୧୪ ଅକ୍ଟୋବର ମାସରୁ ନିୟମିତ ଭାବେ ମନ୍ କୀ ବାତ୍ରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ଆସୁଛନ୍ତି । ଏପର୍ୟ୍ୟନ୍ତ ମନ୍ କୀ ବାତ୍ର ୯୯ଟି ଅଧ୍ୟାୟ ପ୍ରସାରିତ ହୋଇସାରିଛି ।