ଝାରସୁଗୁଡ଼ା ଉପନିର୍ବାଚନ: ବିଜେଡି ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲା ବିଜେପି
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ସରକାରୀ ମହିଳା କର୍ମଚାରୀଙ୍କୁ ବିଜେଡି ନିଜ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କାର୍ୟ୍ୟରେ ଲଗାଇବା ସହ ଭୋଟରଙ୍କୁ ଟଙ୍କା ବାଣ୍ଟିବା କାର୍ୟ୍ୟରେ ନିୟୋଜିତ କରାଯାଇଥିବା ବିଜେପି ଅଭିଯୋଗ କରିଛି । ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବା ବିଜେଡିର ଚିରାଚରିତ ଅଭ୍ୟାସ ବୋଲି ବିଜେପି କହିବା ସହ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ।
ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରି କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ବିଜେପି ରାଜ୍ୟ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ଝାରସୁଗୁଡ଼ାରେ ସରକାରୀ କର୍ମଚାରୀମାନେ ବିଜେଡି ପାଇଁ କର୍ମୀ ଭଳି ପ୍ରଚାର କରୁଛନ୍ତି । ଯାହାର ପ୍ରମାଣ ବିଜେପି ହାତରେ ଲାଗିଛି । ସାଧାରଣ ନିର୍ବାଚନ ହେଉକି କି ଉପନିର୍ବାଚନ ସବୁବେଳେ ସରକାରୀ କର୍ମଚାରୀମାନେ ନିର୍ବାଚନ ନିୟମ ଉଲଘଂନ କରିବା ସହ ବିଜେଡିର କର୍ମୀ ଭଳି ପ୍ରଚାର କରି ଆସୁଛନ୍ତି ।ସରକାରୀ କର୍ମଚାରୀମାନଙ୍କୁ ନିଜ ଦଳ ସପକ୍ଷରେ ଲଗାଇ ପ୍ରଚାର କରିବା ବିଜେଡିର ଚିରାଚରିତ ଅଭ୍ୟାସ । ଝାରସୁଗୁଡ଼ା ଉପନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବା ପାଇଁ ବିଜେପି ଦାବି କରିବା ସହ ବିଜେଡି ପାଇଁ ପ୍ରଚାର କରୁଥିବା ସରକାରୀ କର୍ମଚାରୀମାନଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ନିମନ୍ତେ ଲିଖିତ ଭାବେ ଅନୁରୋଧ କରିଛି ।ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଉମାକାନ୍ତ ପଟ୍ଟନାୟକ, ଐଶ୍ୱର୍ୟ୍ୟା ବିଶ୍ୱାଳ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।




admin 