ଲଗାଣ ବର୍ଷାରେ ବେହାଲ ମାଲକାନଗିରି

ମାଲକାନଗିରି : ଲଗାଣ ବର୍ଷାରେ ବେହାଲ ସମଗ୍ର ମାଲକାନଗିରି ଜିଲ୍ଲା । ମାଲକାନଗିରି ଠାରୁ ବାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଏମଭି ୩୭ ପୋଲ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଛି। ପୋଟେରୁ ପୋଲ ଉପରେ ତିନି ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ସେହିପରି କାଙ୍କୁରୁକୋଣ୍ଡା ପୋଲ ଉପରେ ମଧ୍ୟ ୫ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି। ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସବୁଠି ପୋଲର ଉଭୟ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି ।
ବନ୍ୟା ପାଣି ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶତାଧିକ ଯାତ୍ରୀ । ପାହାଡିଆ ପାଣି ମାଲକାନଗିରି ସହର ମଧ୍ୟକୁ ପ୍ରବେଶ କରିବା ଦ୍ୱାରା ସହରର ନେତାଜୀ ନଗର, ମାଲ୍ୟବନ୍ତ କଲୋନୀ, ବୁଟିଗୁଡା ଓ ବସଷ୍ଟାଣ୍ଡ ସାହି ଜଳମଗ୍ନ ହୋଇଛି। ଅନେକ ଲୋକଙ୍କ ଘରେ ବର୍ଷା ପାଣି ପଶି ଯାଇଛି । ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ମାଲକାନଗିରି ଜିଲ୍ଲାରେ ବନ୍ୟା ହେବାର ଆଶଙ୍କା ରହିଛି। ତଳିଆ ଅଞ୍ଚଳର ଲୋକଙ୍କୁ ବନ୍ୟା ଆଶ୍ରୟ ସ୍ଥଳକୁ ଯିବା ଲାଗି ଜିଲ୍ଲା ପ୍ରଶାସନ ତରଫରୁ ଆଗୁଆ ସୂଚନା ଦିଆଯାଇଛି । ସମସ୍ତ ବିଡିଓ ତହସିଲଦାର ସ୍ଥିତି ଉପରେ ନଜର ରଖିଛନ୍ତି ।