ରାଜଧାନୀରେ ଜଳିଗଲେ ଦମ୍ପତି

ଭୁବନେଶ୍ୱର: ରାଜଧାନୀରେ ଜଳିଗଲେ ଦମ୍ପତି । ମୃତ ଦମ୍ପତି ହେଲେ ଭରତପୁର ଜ୍ଞାନଦୀପ ନଗର ଗୋବିନ୍ଦ କଲୋନୀରେ ରହୁଥିବା ବିଦେଶୀ ପ୍ରଧାନ(୬୦) ଓ ତାଙ୍କ ପତ୍ନୀ କସ୍ତୁରୀ ପ୍ରଧାନ(୫୧) । ଗ୍ୟାସ୍ ଲିକ୍ ହୋଇ ଘରେ ମଶା ଧୂପରୁ ନିଆଁ ଲାଗି ସେମାନେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଭରତପୁର ଥାନା ପୁଲିସ କହୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘରେ ନିଆଁ ଲଗାଇ ଦମ୍ପତିଙ୍କୁ କେହି ଜାଳି ଦେଇଥିବା ବସ୍ତି ଲୋକେ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।
ଗୋବିନ୍ଦ କଲୋନୀ ଲୋକଙ୍କ କହିବା ଅନୁଯାୟୀ, ବିଦେଶୀ ସମ୍ ହସ୍ପିଟାଲ ସମ୍ମୁଖରେ ଏକ ହୋଟେଲ କରିଛନ୍ତି । ତାଙ୍କ ହୋଟେଲରେ ଭଲ ବ୍ୟବସାୟ ହେଉଥିଲା । ରାତିରେ ହୋଟେଲରୁ ଫେରିବା ପରେ ବିଦେଶୀ ଓ ପତ୍ନୀ କସ୍ତୁରୀ ଖାଇପିଇ ଘରେ ଶୋଇଥିଲେ । ବିଳମ୍ବିତ ରାତି ପ୍ରାୟ ୨ଟାରେ ହଠତ୍ ବିଦେଶୀଙ୍କ ଘରେ ନିଆଁ ଲାଗିଥିଲା । ଘରୁ ପ୍ରବଳ ଧୂଆଁ ବାହାରୁଥିବା ବେଳେ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଆଖପାଖ ଲୋକେ ଧାଇଁ ଆସିଥିଲେ । ପାଣି ବୁହାଇ ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।
ଖବରପାଇ ଦମ୍କଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ସ୍ୱାମୀ-ସ୍ତ୍ରୀ ୮୦ ଭାଗ ଜଳି ଯାଇଥିଲେ । ଏଥିସହ ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ଯାଇଥିଲା । ପଡ଼ୋଶୀମାନେ ଗୁରୁତର ଅବସ୍ଥାରେ ବିଦେଶୀ ଓ କସ୍ତୁରୀଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା ।ପୁଲିସ କହିବା ଅନୁଯାୟୀ, ଘର ଭିତରେ ସେମାନେ ମଶା ଧୂପ ଲଗାଇ ଶୋଇଥିଲେ । ଅଧ ରାତିରେ ଗ୍ୟାସ୍ ଲିକ୍ ହୋଇ ମଶା ଧୂପରୁ ଘରେ ଅଗ୍ନିକାଣ୍ଡ ଘଟି ଦମ୍ପତ୍ତି ପୋଡ଼ି ହୋ ଯାଇଥିଲେ ।