ଡିଏସ୍ପିଙ୍କ ଗୋଡ଼ରୁ ୨ଟି ଗୁଳି
ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ଗତକାଲି ପୁଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଥିବା ବେଳେ ସିଆରପିଏଫ୍ ଡିଏସ୍ପି ଅତୁଲକୃଷ୍ଣ ଦାସ ଆହତ ହୋଇଥିଲେ। ଡିଏସ୍ପି ଅତୁଲକୃଷ୍ଣ ଦାସଙ୍କ ଗୋଡ଼ରେ ୨ଟି ଗୁଳି ପଶି ଯାଇଥିବା ବେଳେ ଆଜି ଅସ୍ତ୍ରୋପଚାର କରାଯାଇ ତାଙ୍କ ଗୋଡ଼ରୁ ୨ଟି ଗୁଳି ବାହାର କରାଯାଇଛି । ଡିଜିପି ସୁନୀଲ ବଂଶଲ ଏମ୍ସରେ ତାଙ୍କୁ ଭେଟିବା ସହ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି।
ଗତକାଲି ପୁଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ ବେଳେ ସର୍ଚ୍ଚ ଅପରେସନରେ ସାମିଲ ହୋଇଥିବା ଡିଏସ୍ପି ଅତୁଲକୃଷ୍ଣ ଦାସଙ୍କ ଗୋଡ଼ରେ ୨ଟି ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏମ୍ସରେ ଡିଏସ୍ପିଙ୍କ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇ ଆଜି ୨ଟି ଗୁଳି ବାହାର କରାଯାଇଥିବା ଜଣାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।




admin 