ରାଜଧାନୀରେ ମାଡ଼ୁଛି ଡେଙ୍ଗୁ

ରାଜଧାନୀରେ ମାଡ଼ୁଛି ଡେଙ୍ଗୁ

ଭୁବନେଶ୍ବର : ଏବେ ତୁହାକୁ ତୁହା ବର୍ଷ ବାର୍ଷୁଥିବା ବେଳେ, ରାଜଧାନୀକୁ ଘାରିଲାଣି ଡେଙ୍ଗୁ। ଘରକୁ ଘର କଲୋନି କୁ କଲୋନି ଡେଇଁଲାଣି।  

ଅଦ୍ୟାବଧି ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଆକ୍ରାନ୍ତ ଭୁବନେଶ୍ବରରୁ। ଆଜି ରାତି ସୁଦ୍ଧା ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତିନିଦିନ ହେବ ଲଗାଣ ବର୍ଷା ଲାଗି ରହିଛି ବିଏମ୍‌ସି ପ୍ରସ୍ତୁତି ନଥିବାରୁ ଆଗକୁ ପରିସ୍ଥିତି ଭୟଙ୍କର ହେବାକୁ ଯାଉଛି।କ୍ୟାପିଟାଲ୍‌ ହସ୍‌ପିଟାଲରେ ୧୭ ଜଣଙ୍କ ନମୁନା ପଜିଟିଭ୍‌ ଆସିଥବା ବେଳେ ଆଉ ୨୦ଟି ବିଭିନ୍ନ ଘରୋଇ ହସ୍‌ପିଟାଲ୍‌ରେ ଚିହ୍ନଟ ହେଲେଣି।

ବିଏମ୍‌ସିର ଜଣେ କର୍ମଚାରୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ବର୍ଷାଋତୁରେ କିଭଳି ଜଳ ନିଷ୍କାସନ ହେବ ସେ ନେଇ ବିଏମ୍ସି ନଳା ସଫାକୁ ଗୁରୁତ୍ବ ଦେଇଛି। ଗତକାଲି ସୁଦ୍ଧା ସମସ୍ତ ଡ୍ରେନ୍ ସଫା କରିବା ସହ ବୁଦା କାଟିବା ପାଇଁ ଠିକାସଂସ୍ଥାମାନଙ୍କୁ ତାଗିଦ୍କରାଯାଇଥିଲେ ମଧ୍ୟ ଶତପ୍ରତିଶତ ସଫା ହୋଇନଥିବା ଜଣାପଡ଼ିଛି। ଶତ ପ୍ରତିଶତ ନଳା ସଫା ହୋଇଥିଲେ ଏହା ମଶାଙ୍କ ବଂଶବୃଦ୍ଧିରେ ବାଧକ ହେବା ଆଶା ଥିଲା। କିନ୍ତୁ ଏହା ଶତପ୍ରତିଶତ ହୋଇନଥିବାରୁ ଏହି ନଳାରେ ମଶାଙ୍କ ବଂଶବୃଦ୍ଧି ସମ୍ଭାବନା ରହିଛି। ଏଥିରେ ମଶା ତେଲ ପକାଇବା ମଶାଖିଆ ମାଛ ଛାଡ଼ିବା ପ୍ରଭୃତି କରାଯିବା ଆବଶ୍ୟକତା ଥିଲେ ମଧ୍ୟ କରାଯାଇ ନାହିଁ।

ସବୁ ନଳାକୁ ବିଏମ୍ସି ସ୍ଲାବ୍କରି ବନ୍ଦ କରୁଛି। ଏଥିରେ ବର୍ଷା ଦିନେ ଅଘଟଣକୁ ରୋକିହେବ। କିନ୍ତୁ ଏହା ଡେଙ୍ଗୁ ସୃଷ୍ଟି କରିବା ପାଇଁ ଆଉ ଏକ ପ୍ରମୁଖ କାରଣ ହେବ। ଅଧିକାଂଶ ନଳାରେ ପାଣି ସ୍ଥିର ହୋଇ ରହୁଛି। କେବଳ ପ୍ରବଳ ବର୍ଷାରେ ପାଣି ବୋହି ଯାଉଥିବା ବେଳେ ବର୍ଷା ପରେ ପାଣି ସ୍ଥିର ହୋଇ ରହୁଛି। ଫଳରେ ଏହି ସ୍ଥିର ପାଣିରେ ମଶାଙ୍କ ବଂଶ ବୃଦ୍ଧି ହେବ। ପାଣି ସହ ଆବର୍ଜନା ରହୁଥିବାରୁ ଗୋଟିଏ ଜାଗାରେ ମଶା ତେଲ ପକାଇଲେ ତାହା ଅନ୍ୟ ଜାଗାକୁ ଯିବ ନାହିଁ। ପ୍ରତ୍ୟେକ ନଳାରେ ମଧ୍ୟ ତେଲ ପକାଇବା ସମ୍ଭବ ନୁହେଁ।

ସେହିଭଳି ଯେଉଁଠି ତେଲ ପକାଇବା ସମ୍ଭବ ହୁଏ ନାହିଁ ସେଠାରେ ମଶା ଅଣ୍ଡା ଖିଆ ମାଛ ଛାଡ଼ିବା ନିୟମ ରହିଛି। କିନ୍ତୁ ବର୍ଷ ବର୍ଷ ହେଲା ବିଏମ୍ସି ନଳାରେ ମଶା ଲାର୍ଭା ନଷ୍ଟ କରିବା ପାଇଁ ମାଛ ଛାଡ଼ି ନାହିଁ। ଏହି ମାଛ ଉତ୍ପାଦନ ପାଇଁ ରହିଥିବା କେନ୍ଦ୍ର ଦୀର୍ଘ ବର୍ଷ ହେବ ବନ୍ଦ ହୋଇଯିବା ସହ ବିଏମ୍ସି ଏହି ମାଛ ବାବଦରେ ଚିନ୍ତା ମଧ୍ୟ କରିନାହିଁ। ଏଣୁ ଏହି ବନ୍ଦ ନଳା ମଶାଙ୍କ ବଂଶବୃଦ୍ଧି ପାଇଁ ଏଥର ପ୍ରକୃଷ୍ଟ ସ୍ଥାନ ହେବ ବୋଲି ସେ ଆଶଙ୍କା କରିଛନ୍ତି।

ଘରେ କିମ୍ବା ଛାତ ଉପରେ ଖାଲି ଜାଗାରେ ଥିବା ପାଣିକୁ ଖାଲି କରିବା କିମ୍ବା ସମ୍ପୃକ୍ତ ପାତ୍ରକୁ ଓଲଟାଇ ରଖିବା ପାଇଁ କହୁଥିଲେ। ବାହାର ଜାଗାରେ ଏଭଳି ସ୍ଥିତି ଥିଲେ ସେଗୁଡ଼ିକ ସଫେଇ ପାଇଁ ଠିକା ନେଇଥିବା ସଂସ୍ଥା କରୁଥିଲେ। କିନ୍ତୁ ବିଭିନ୍ନ କଲୋନି ଭିତରେ ଘର ପାଖରେ ବଡ଼ ବଡ଼ ଜାଗା ଖାଲି ପଡ଼ିଛି। ସେଗୁଡ଼ିକ ସଫା କରିବା ପାଇଁ କାହାର ଦାୟିତ୍ବ ନାହିଁ। ଅନେକ ଜାଗାରେ ପଇଡ଼ ଖୋଳ, ଛିଣ୍ଡା ଟାୟାର, ପ୍ଲାଷ୍ଟିକ୍ବୋତଲ ପଡ଼ିରହିଛି। ଏଗୁଡ଼ିକ ମଧ୍ୟ ଡେଙ୍ଗୁ ମଶାଙ୍କ ଉତ୍ପତ୍ତିସ୍ଥଳ ହୋଇପାରେ ବୋଲି ସେମାନେ ଆଶଙ୍କା କରିବା ସହ ଏଗୁଡ଼ିକୁ ସଫା କରିବା ଆବଶ୍ୟକତା ଥିବା କହିଛନ୍ତି।

ଅନ୍ୟପଟେ ସହରରୁ ମଶା ବଂଶ ନାଶ କରିବା ପାଇଁ ବିଏମ୍ସି ୨୦ଟି -ରିକ୍ସା ଫଗିଙ୍ଗ୍ମେସିନ୍କିଣିବାକୁ ଯୋଜନା କରିଛି। ଏହି -ରିକ୍ସ ସହଜରେ ଅପହଞ୍ଚ ଗଳିରେ ପଶିପାରିବ। ପୂର୍ବରୁ ଦୁଇଟି ଟ୍ରାକ୍ଟର ୧୦ଟି ଛୋଟ ଟିଫା ମେସିନ୍ରହିଥିଲା। ଗାଡ଼ି ପଶିପାରୁନଥିବା ଗଳିରେ ଛୋଟ ମେସିନ୍ଗୁଡ଼ିକୁ ହାତରେ ଧରି କର୍ମଚାରୀ ବୁଲୁଥିଲେ। ୬୭ ୱାର୍ଡରେ ଏହି ୧୨ଟି ମେସିନ୍ରେ ମଶା ଘଉଡ଼ାଇବା ସମ୍ଭବ ହେଉନଥିଲା। ଏବେ ଏହି ୨୦ ଟି ଗାଡ଼ି ମଶା ମଶା ଦମନରେ ସହାୟକ ହେବ ବୋଲି ବିଏମ୍ସି ଆଶା କରିଛି।