ସମ୍ବଲପୁର କର୍ଫ୍ୟୁ: ସରକାରଙ୍କୁ ଦାୟୀ କଲା ବିଜେପି
ଭୁବନେଶ୍ୱର: ସମ୍ବଲପୁର ସହର ଅଶାନ୍ତ ହେବା ପାଇଁ ରାଜ୍ୟ ସରକାର ଦାୟୀ । ଏହି ସମଗ୍ର ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି ବୋଲି ବିଜେପି ପ୍ରଶ୍ନ କରିବା ସହ ତୃତୀୟ ମହଲା ପରୋକ୍ଷ ଭାବେ ସେଠାରେ ଦଙ୍ଗା କରିବା ପାଇଁ ଚାହୁଁଥିଲା ବୋଲି ବିଜେପି ଅଭିଯୋଗ କରିଛି ।ସମ୍ବଲପୁର ଅଶାନ୍ତ ଘଟଣାର ଗ୍ରାଉଣ୍ଡ ସ୍ଥିତି ଅନୁଧ୍ୟାନ ଓ ବିଭିନ୍ନ ସମୁଦାୟ ସହ ଆଲୋଚନା କରି ଫେରିବା ପରେ ବିଜେପିର ୭ଜଣିଆ ଫ୍ୟାକ୍ଟ ଫାଇଣ୍ଡି ଟିମ୍ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଓ ତୃତୀୟ ମହଲାକୁ ସିଧାସଳଖ ଦାୟୀ କରିଛି ।
ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ଯେ, ସମ୍ବଲପୁରରେ ଅଭାବନୀୟ ଘଟଣା ଘଟିବା ପରେ ବି ମୁଖ୍ୟମନ୍ତ୍ରୀ ଏ ପର୍ୟ୍ୟନ୍ତ କାହିଁକି ଚୁପ୍ ଅଛନ୍ତି । ଏ ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଘଟଣାର ବିବୃତି ନ ଆସିବା ଅନ୍ୟ ଏକ ଦିଗ ଆଡ଼କୁ ଇଙ୍ଗିତ କରୁଛି । ମୁଖ୍ୟମନ୍ତ୍ରୀ ତାଙ୍କର ନୀରବତା ଭାଙ୍ଗନ୍ତୁ, ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦିଅନ୍ତୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଲ'ଲେସନେସ କହୁଥିବାବେଳେ ବିଜୁ ଜନତା ଦଳର ଯେଉଁ ବଚସ୍କରମାନଙ୍କୁ ଏକଥା ବାଧୁଥିଲା, ସେମାନେ ଆଜି ଏହି ଘଟଣାରେ ପ୍ରତିକ୍ରିୟା କାହିଁକି ଦେଉନାହାନ୍ତିି ? ହନୁମାନ ଜୟନ୍ତୀ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ସମସ୍ତ କଥା କହିଥିଲେ ମଧ୍ୟ ସେ ଅଂଚଳଗୁଡ଼ିକରେ ସୁରକ୍ଷାକୁ କଡ଼ାକଡ଼ି କାହିଁକି କରାଯାଇନଥିଲା ବୋଲି ବିଜେପି ପ୍ରଶ୍ନ କରିଛି । ସମଗ୍ର ସମ୍ବଲପୁରରେ ପୋଲିସ ଛାଉଣୀ ଥିବାବେଳେ ପୁଣି ସାମ୍ପ୍ରଦାୟିକ କାରଣ ନେଇ ଜଣେ ଯୁବକଙ୍କୁ କେଉଁ ପରିସ୍ଥିତିରେ ହତ୍ୟା କରାଗଲା? ଯେଉଁ ଯୁବକ ନିହତ ହୋଇଛନ୍ତି, ପ୍ରଶାସନ ସେବାବଦରେ କାହିଁକି ସ୍ପଷ୍ଟୀକରଣ ଦେଇନାହିଁ । ଯୁବକର ଶବ ବ୍ୟବଚ୍ଛେଦ ରିପୋର୍ଟ କ’ଣ ଆସିଛି? ରାତାରାତି କାହାକୁ କିଛି ନ ଜଣାଇ ଯୁବକ ଶବଦାହ କାହିଁକି କରାଗଲା? ତା'ର ପରିବାରକୁ କ୍ଷତିପୂରଣ କିଏ ଦେବ? ଆହତ ହୋଇଥିବା ବ୍ୟକ୍ତିଙ୍କର ଅବସ୍ଥା କଣ ଅଛି? ଏ ସବୁ ପ୍ରଶ୍ନର ଉତ୍ତର ସରକାରଙ୍କ ସାମ୍ନାରେ ପ୍ରଶ୍ନ ହୋଇ ରହିଛି ।




admin 