ପୁରୀ: ଏବେ ଚାଲିଛି ସାପ ମାନଙ୍କର ଅଣ୍ଡା ଦେବା ଋତୁ । ଖାସ କରି ନାଗ, ତମ୍ପ ଆଦି ବିଷଧର ସାପ ମାନେ ସୁବିଧା ଯାଗା ଦେଖି ଅଣ୍ଡା ଦେବା ଆରମ୍ଭ ମଧ୍ୟ କରି ଦେଲେଣି । ଏହି କ୍ରମରେ ୨୦୨୩ ମସିହା ପାଇଁ ଓଡ଼ିଶାରେ ପ୍ରଥମ କରି ପୁରୀ ଜିଲ୍ଲାର କନସ ଅଞ୍ଚଳ ରେ ଭାଟପଡା ଗ୍ରାମର ଅକ୍ଷୟ ମାଣ୍ଟୁ ଙ୍କ ବାଡି ଭିତରୁ ଏକ ସାଢେ ୩ ଫୁଟ ଲମ୍ବର ନାଗୁଣୀ ସହିତ ୧୭ ଟି ଅଣ୍ଡା ଉଦ୍ଧାର କରା ଯାଇଛି । ଅକ୍ଷୟ ଘର କାମ କରିବା ପାଇଁ ପଥର ଗଦାରୁ ପଥର ହଟେଇବା ବେଳେ ଏକ ନାଗ ସାପ ସହିତ କିଛି ଅଣ୍ଡା ଦେଖିବାକୁ ପାଇଥିଲେ । ଭୟଭୀତ ହୋଇ ସ୍ନେକ ହେଲ୍ପ ଲାଇନ କୁ ଖବର ଦେଇଥିଲେ ଅକ୍ଷୟ ଙ୍କ ପରିବାର । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଶ୍ରମିକ ମାନେ କାମ ବନ୍ଦ କରି ବସିଥିଲେ । ସୁଶାନ୍ତଙ୍କ ଉପସ୍ଥିତିରେ ଆଉଥରେ ପଥର ହଟେଇବା କାମ ଆରମ୍ଭ ହୋଇଥିଲା । କିଛି ପଥର ହଟେଇବା ପରେ ନାଗୁଣୀ ଫଣା ଟେକି ଗାତ ଭିତରୁ ବାହାରି ପଡିଥିଲା । ସାଢେ ୩ ଫୁଟ ଲମ୍ବର ନାଗୁଣୀ କୁ ଧରି ବ୍ୟାଗ ରେ ଭର୍ତ୍ତି କରିଥିଲେ ସୁଶାନ୍ତ । ସାପ ଟିକୁ ଗାଁ ବାହାରେ ସୁରକ୍ଷିତ ଭାବରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।
ସୂଚନାଯୋଗ୍ୟ, ସାପ ମାନେ ଇଟା ଗଦା, ପଥର ଗଦା, ଗଛ କୋରଡ଼ା ଇତ୍ୟାଦି ସୁରକ୍ଷିତ ସ୍ଥାନ ବାଛି ଅଣ୍ଡା ଦେଇଥାନ୍ତି । ନାଗ/ତମ୍ପ ମାନେ ଅଣ୍ଡା ଫୁଟିବା ପର୍ଯ୍ୟନ୍ତ ଅଣ୍ଡା ପାଖରେ ଜଗି ରହନ୍ତି । ସୁରକ୍ଷିତ ସ୍ଥାନ ବାଛିବାର ଉଦ୍ଦେଶ୍ୟ ଥାଏ ଯେମିତି କି ଉପଯୁକ୍ତ ତାପମାତ୍ରା ଏବଂ ଆର୍ଦ୍ରତା ମିଳିଥାଏ । ଠାରେ ଅଣ୍ଡା ଗୁଡିକୁ ସ୍ଥାନାନ୍ତର କରିଦେଲେ ଆଉ ପ୍ରାକୃତିକ ଭାବରେ ଅଣ୍ଡା ଫୁଟି ନଥାଏ । ଖରା ଏବଂ ପବନ ବାଜି ଦ୍ରୁତ ଗତିରେ ଅଣ୍ଡା ଭିତରୁ ଜଳୀୟ ଅଂଶ ହ୍ରାସ ହୋଇଥାଏ, ଏବଂ ଭିତରେ ଥିବା ଭ୍ରୁଣ ମୃତ୍ୟୁ ବରଣ କରିଥାଏ । ଯେହେତୁ, ଖାଲି ସାପକୁ ଉଦ୍ଧାର କରି ଆଣିଥିଲେ, ଗାଁ ଲୋକେ ଅଣ୍ଡା ଗୁଡିକୁ ନଷ୍ଟ କରି ଦେଇଥାନ୍ତେ, ତେଣୁ ଡେଲାଙ୍ଗ ରେଞ୍ଜ ଅଧିକାରୀଙ୍କ ଅନୁମତି କ୍ରମେ ସ୍ନେକ ହେଲ୍ପ ଲାଇନ ସହାୟତାରେ ଅଣ୍ଡା ଗୁଡିକୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ଚେଷ୍ଟା କରାଯିବ । ଅକ୍ଷୟଙ୍କ ପଥର ଗଦା ରେ ନାଗୁଣୀ ଟି ଯଦିଓ ମୋଟ ୧୯ ଟି ଅଣ୍ଡା ଦେଇଥିଲା, ତେବେ ତନ୍ମଧ୍ୟରୁ ୧୭ ଟି ଅଣ୍ଡା ହିଁ ଭଲ ଅବସ୍ଥାରେ ଥିଲା ।
ଏହି ଘଟଣା ପରେ ସ୍ନେକ ହେଲ୍ପ ଲାଇନ ତରଫରୁ ଜନସାଧାରଣଙ୍କ ପାଇଁ ସୁରକ୍ଷା ପାଇଁ କିଛି ପରାମର୍ଶ ଦିଆଯାଇଛି ।
• ନିଜର ଘର ତଥା ବାଡି ବଗିଚା କୁ ନିୟମିତ ଭାବରେ ସଫା କରନ୍ତୁ । ଅଳିଆ ଆବର୍ଜନା ଥିଲେ ସାପ ଅଣ୍ଡା ଦେବା ପାଇଁ ସ୍ଥାନ ମିଳିଯିବ ।
• ବାଡି ବଗିଚାରେ ଯଦି ସାପ ଅଣ୍ଡା ପାଇବେ, ସେଗୁଡିକୁ ନଷ୍ଟ କରନ୍ତୁ ନାହିଁ । ସ୍ଥାନୀୟ ବନ କର୍ମଚାରୀ କିମ୍ବା ଅଧିକୃତ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଖବର ଦିଅନ୍ତୁ ।
• ଏହି ସମୟରେ ଅଣ୍ଡା ଦେବା ପାଇଁ ସ୍ଥାନ ଖୋଜି ବୁଲୁଥିବା ଗର୍ଭବତୀ ସାପ ମାନଙ୍କ ପେଟରେ ଅଣ୍ଡା ନିଶ୍ଚୟ ଥିବ । ଏହି ସମୟରେ ଗୋଟିଏ ସାପ କୁ ମାରିଦେଲେ, ପେଟରେ ଥିବା ଅଣ୍ଡା ବି ନଷ୍ଟ ହେଇଯିବ । ଗୋଟିଏ ପିଢୀ ନଷ୍ଟ ହେବ । ଏଣୁ, ସାପ କୁ ଆଘାତ କରନ୍ତୁ ନାହିଁ ।
• ନାଗ / ତମ୍ପ ଆଦି ସାପ ଅଣ୍ଡା କୁ ଜଗି ରହିଥାନ୍ତି , ଏବଂ ଏହି ସମୟରେ ଅଣ୍ଡା କୁ ସୁରକ୍ଷା ଦେବା ପାଇଁ ମାତୃ ସୁଲଭ ଗୁଣ ହେତୁ ଆକ୍ରମଣ ପାଇଁ ଉଦ୍ୟତ ହେବା ଏକ ସ୍ବାଭାବିକ ପ୍ରକ୍ରିୟା । ଏଣୁ, ସତର୍କ ରୁହନ୍ତୁ ।
• ଯାହା ଘରେ ବା ବାଡିରେ ସାପ ଅଣ୍ଡା ଦେଇଥିବେ, ଫୁଟି ଛୁଆ ଭରିବା ପାଇଁ ପ୍ରାୟ ୪୫ ରୁ ୬୦ ଦିନ ପର୍ଯ୍ୟନ୍ତ ଲାଗିବ । ସେଇ ସମୟ ଭିତରେ ଯଦି ଅଣ୍ଡା ଦେବା କଥା ଜଣା ନପଡ଼ିଲା, ତେବେ ବିପଦ ବଢିଯିବ । ଯଦି ଏକ ନାଗୁଣୀ ୨୦ ଅଣ୍ଡା ଦେଇଥିବ, ଘେର ବା ବାଡିରେ ୨୦ ଟି ନାଗ/ତମ୍ପ ଛୁଆ ବୁଲିବେ ।
ତେବେ, କୌଣସି ସାପ ଧରାଳି ବା ଉଦ୍ଧାରକାରୀ ଜନବସତି ବାହାରେ ଜଙ୍ଗଲ ରେ ଯଦି ସାପ ଅଣ୍ଡା ଦେଇଥିବ, ସେଠାରେ ଅଣ୍ଡା ଗୁଡିକୁ ଆଦୌ ଛୁଇଁବା ମନା ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ । ସେହିପରି, ବନ ଅଧିକାରୀଙ୍କ ବିନା ଅନୁମତି ରେ କୌଣସି ବି ଭାରତୀୟ ସାପଙ୍କ ବସାରୁ ଅଣ୍ଡାକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରିବା, ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ର ଉଲଂଘନ, ଏବଂ ଏଥିପାଇଁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ତଥା ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଦଣ୍ଡ ପ୍ରାବଧାନ ଅଛି ବୋଲି ଶୁଭେନ୍ଦୁ କହିଛନ୍ତି ।