ଓଲିଉଡରେ କାଷ୍ଟିଂ କାଉଚ

ଓଲିଉଡରେ କାଷ୍ଟିଂ କାଉଚ

ଭୁବନେଶ୍ୱର: କିଛି ଦିନର ନିରବତା ପରେ ଓଲିଉଡ୍‌ରେ ପୁଣି କାଷ୍ଟିଂକାଉଚ୍‌ ଅଭିଯୋଗ ଉଠିଛି । କଟକର ଜଣେ ନିର୍ଦ୍ଦେଶକ ହିରୋଇନ୍‌ କରିଦେବାକୁ କହି ଜଣେ ଯୁବତୀଙ୍କୁ ରାତି କାଟିବାକୁ ମେସେଜ୍‌ କରୁଛନ୍ତି । ଯୁବତୀ ରାଜି ନ ହେବାରୁ ନିର୍ଦ୍ଦେଶକ ଜଣଙ୍କ ସୋସିଆଲ୍‌ ମିଡିଆରେ ତାଙ୍କୁ ଗାଳି ମନ୍ଦ କରୁଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଏନେଇ ସେ କୌଣସି ଥାନାରେ ଅଭିଯୋଗ ନ କରି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । ୨୦୧୯ରେ କଟକର ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭୂତ ସିନେମା କରିବାକୁ ଯୋଜନା କରିଥିଲେ ।

ଏନେଇ ସେ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥିଲେ। ଏଥିପାଇଁ ସେ ଅଡିସନ୍‌ ମଧ୍ୟ ନେଇଥିଲେ । ଅଡିସନ୍‌ ଦେବାକୁ ଅନେକ ଯୁବକ-ଯୁବତୀ ଆସିଥିଲେ । ଭୁବନେଶ୍ୱରରେ ରହି ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିବା କଟକ ଚୌଦ୍ୱାର ଅଞ୍ଚଳର ଜଣେ ଯୁବତୀ ହିରୋଇନ୍‌ ହେବା ନିଶାରେ ଅଡିସନ୍‌ ଦେବାକୁ ଯାଇଥିଲେ । ଅଡିସନ୍‌ ପରେ ଚଳଚିତ୍ର ନିର୍ଦ୍ଦେଶକ ତାଙ୍କୁ ସୋସିଆଲ୍‌ ମିଡିଆରେ ବନ୍ଧୁତ୍ୱ ମେସେଜ୍‌ ପଠାଇଥିଲେ । ପରେ ତାଙ୍କୁ ହିରୋଇନ୍‌ କରିବା ପ୍ରତିଶ୍ରୁତି ଦେଇ ବିଭିନ୍ନ ଅଶ୍ଳୀଳ ମେସେଜ ଦେଇଥିଲେ । ସିନେମାରେ ଚାନ୍ସ ପାଇବାକୁ ହେଲେ ରୋମାନ୍ସ କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶକ କହିଥିଲେ ।