୧୫ ବର୍ଷ ପରେ ପୁଣି ମେଣ୍ଟ!

୧୫ ବର୍ଷ ପରେ ପୁଣି ମେଣ୍ଟ!

ଭୁବନେଶ୍ୱର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଆଉ କିଛିଟା ଦିନ ପରେ ଘୋଷଣା ହେବ ନିର୍ବାଚନ ତାରିଖ। ଏନେଇ ପ୍ରାୟ ସବୁ ଦଳ ନିଜ ନିଜ ସଂଗଠନ ସଜାଡ଼ିବାରେ ଲାଗିପଡ଼ିଛନ୍ତି । ତେବେ ରାଜ୍ୟରେ ହେବ କି ବିଜେଡି ଓ ବିଜେପି ମେଣ୍ଟ । ଏକାଠି ଲଢ଼ିବେ କି ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ବନ୍ଦୀ । ଓଡ଼ିଶାରେ ଗତ କିଛି ଦିନ ଧରି ଏଭଳି ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେପି ଓ ବିଜେଡିର ବୈଠକକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ମେଣ୍ଟ ଚର୍ଚ୍ଚା । ୧୫ ବର୍ଷ ତଳେ ବିଜେପି ସହ ବିଜେଡି ମେଣ୍ଟ ଭାଙ୍ଗିଥିଲା । ୨୦୦୯ ମସିହା ମାର୍ଚ୍ଚ ୯ ତାରିଖରେ ମେଣ୍ଟ ଭାଙ୍ଗିଯାଇଥିଲା । ମେଣ୍ଟ ଭାଙ୍ଗିବା ପୂର୍ବରୁ ଉଭୟ ଦଳ ୨ ଥର ମିଳିତ ସରକାର କରିଥିଲେ । ୨୦୦୦ ଓ ୨୦୦୪ରେ ଉଭୟ ବିଜେପି ଓ ବିଜେଡି ମିଳିତଭାବେ ସରକାର କରିଥିଲେ । ଦୁଇ ଦଳ ଉଭୟ ଲୋକସଭା ଓ ବିଧାନସଭା ସିଟ ବାଣ୍ଟି ନେଇଥିଲେ । ତେବେ ଚଳିତ ନିର୍ବାଚନରେ ଯଦି ମେଣ୍ଟ ହୁଏ ତେବେ ଦୀର୍ଘ ୧୫ ବର୍ଷ ପରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବ । ତେବେ ବିଜେପି ଓ ବିଜେଡି ଭିତରେ କିଭଳି ପୁରୁଣା ମେଣ୍ଟ ଥିଲା ଆସନ୍ତୁ ଜାଣିବା

- ୪:୩ ଅନୁପାତରେ ହୋଇଥିଲା ସିଟ ସେୟାରିଂ
-ବିଧାନସଭାରେ ବିଜେଡି ୮୪, ବିଜେପି ୬୩ ସିଟରେ ଲଢିଥିଲା
-ଲୋକସଭାରେ ବିଜେଡି ୧୨, ବିଜେପି ୯ ସିଟରେ ଲଢିଥିଲା

ତେବେ ବିଜେଡି-ବିଜେପି ମଧ୍ୟରେ ହୋଇପାରେ ମେଣ୍ଟ । ଏନଡିଏ ଭିତରକୁ ଫେରିପାରେ ବିଜେଡି । ମେଣ୍ଟ ନେଇ ଆସନ୍ତାକାଲି ହୋଇପାରେ ଚୂଡାନ୍ତ ଘୋଷଣା । ଏପରି ଚର୍ଚ୍ଚାକୁ ବଳ ଯୋଗାଇଛି ଉଭୟ ଦଳ ପକ୍ଷରୁ ଆଜି ଡକାଯାଇଥିବା ବୈଠକ । ବିଜେପିର ବୈଠକ ଦିଲ୍ଲୀରେ ବସୁଥିବା ବେଳେ ତାହା ପୂର୍ବରୁ ବସିବ ବିଜେଡି ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଡାକିଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ନବୀନ ନିବାସରେ ଆଜି(ବୁଧବାର) ଅପରାହ୍ନ ୩. ୩୦ ବସିବାକୁ ଯାଉଛି ଏହି ବୈଠକ । ବୈଠକରେ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ । ନବୀନ ନିବାସରୁ ଏନେଇ ନେତାମାନଙ୍କୁ ଡକରା ଆସିଛି ।

ମିଳିଥିବା ସୂଚନା ଅନୁସାରେ  ବିଜେଡିର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ମୁଖ୍ୟାଳୟ ସଞ୍ଜୟ ଦାସବର୍ମା, ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ, ବରିଷ୍ଠ ଉପସଭାପତି ଦେବୀ ମିଶ୍ର, ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ବଳବନ୍ତରାୟ, ପ୍ରସନ୍ନ ଆଚାର୍ୟ୍ୟ,  ରଣେନ୍ଦ୍ର ପ୍ରତାପ ସ୍ବାଇଁ,  ଦେବୀ ମିଶ୍ର, ଉଷା ଦେବୀ, ସମୀର ଦାଶ, ସୁଶାନ୍ତ ସିଂ, ସାରଦା ନାୟକ, ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି, ନିରଞ୍ଜନ ପୂଜାରୀଅରୁଣ ସାହୁ ପ୍ରମୁଖଙ୍କୁ ନବୀନ ନିବାସକୁ ଡାକରା ହୋଇଛି ।

ସେପଟେ ବିଜେପିର ଜାତୀୟ ନେତୃତ୍ୱଙ୍କ ଡାକରାରେ ଦିଲ୍ଲୀ ଯାଉଛନ୍ତି ରାଜ୍ୟ ବିଜେପିର କୋର ଟିମ । ଦିଲ୍ଲୀରେ ଅପରାହ୍ନ ୫.୩୦ ବିଜେପିର ବୈଠକ ଅନୁଷ୍ଠିତ ହେବ । ତେବେ ଦୁଇ ଦଳର ଏହି ଗୁରୁତ୍ବପୂର୍ଣ୍ଣ ବୈଠକ କେଉଁ ନିଷ୍କର୍ଷ ନିଷ୍ପତ୍ତି ନେବେ । କ'ଣ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବ । ଏହାକୁ ନେଇ ଏବେ ରାଜନୈତିକ ମାହୋଲରେ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

୨୦୨୪ ନିର୍ବାଚନ ବିଜେପି ଏକାକୀ ଲଢିବ ବୋଲି ସଭାପତି ମନମୋହନ ସାମଲ ପୂର୍ବରୁ ସ୍ପଷ୍ଟ କରିଛନ୍ତି । ବିଜେଡି ସହ କୌଣସି ମେଣ୍ଟ ହେବନି ବୋଲି ମନମୋହନ କହିଛନ୍ତି । ଅନ୍ୟପଟେ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସୁଥିଲେ ମଧ୍ୟ ବିଜେଡି ପ୍ରତି ନରମ ଆଭିମୁଖ୍ୟ ଦଳୀୟ କର୍ମୀଙ୍କୁ ଶଙ୍କାରେ ପକାଉଛି । ତେଣୁ ଦିଲ୍ଲୀ ହେବାକୁ ଥିବା ବୈଠକରେ କଣ ଆଲୋଚନା ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।