ଚିଲିକାରେ ବିଦେଶାଗତ ପକ୍ଷୀ ସଂଖ୍ୟା ବୃଦ୍ଧି

ଚିଲିକାରେ ବିଦେଶାଗତ ପକ୍ଷୀ ସଂଖ୍ୟା ବୃଦ୍ଧି

ଭୁବନେଶ୍ଵର: ଚଳିତବର୍ଷ ଚିଲିକାରେ ଗୋଟିଏ ପର୍ୟ୍ୟାୟରେ ପକ୍ଷୀମାନଙ୍କ ଗଣନା କରା ଯାଇଥିବା ବେଳେ ୧୦୫ ପ୍ରଜାତିର ବିଦେଶାଗତ ପକ୍ଷୀ ଆଗମନ କରିଥିଲେ । ଗତବର୍ଷ ଚିଲିକାକୁ ୧୦ ଲକ୍ଷ ୭୪ ହଜାର ୧୭୩ ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ଅର୍ଥାତ ୨୦୨୩ରେ ୧୦ ଲକ୍ଷ ୯୩ ହଜାର ୪୯ ବିଦେଶାଗତ ପକ୍ଷୀ ଆସିଥିଲେ । ଗତବର୍ଷ ଚିଲିକାରେ କେତୋଟି ପର୍ୟ୍ୟାୟରେ ପକ୍ଷୀ ଗଣନା ଓ କେତେ ପ୍ରଜାତିର ବିଦେଶାଗତ ପକ୍ଷୀ ଆସିଥିଲେ ଓ ପକ୍ଷୀଙ୍କ ଆଗମନ ପାଇଁ କ’ଣ ଦୀର୍ଘମିଆଦି ଯୋଜନା ରହିଛି ବୋଲି ବିଧାୟକ ଦାସରଥୀ ଗମାଙ୍ଗଙ୍କ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଏହା କହିଛନ୍ତି ।
ଚିଲିକା ହ୍ରଦକୁ ଅଧିକ ସଂଖ୍ୟାରେ ପକ୍ଷୀ ଆଗମନ ଓ ସେମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ନଳବଣ ପକ୍ଷୀ ଅଭୟାରଣ୍ୟରେ ପକ୍ଷୀମାନଙ୍କ ବିଚରଣ ପାଇଁ ଅଧିକରୁ ଅଧିକ କାଦୁଆ ଚାରଣ ଭୂମି ପ୍ରସ୍ତୁତ କରାଯାଉଛି । ପକ୍ଷୀ ଶିକାର ରୋକିବା ପାଇଁ ପ୍ରତିବର୍ଷ ଅକ୍ଟୋବରରୁ ମାର୍ଚ୍ଚ ପର୍ୟ୍ୟନ୍ତ ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିରମାନ ବିଭିନ୍ନ ଶିକାର ପ୍ରବଣ ଅଞ୍ଚଳରେ ସ୍ଥାପନ କରାଯାଉଛି । ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ସଚେତନା କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି । ଡ଼ଙ୍ଗା ସୁରକ୍ଷା ସ୍କ୍ୱାଡ୍‌ମାନ ଗଠନ କରାଯାଇ ଜଳାଶୟକୁ ନିୟମିତ ନଜର ରଖାଯାଇଥାଏ । ବିଭିନ୍ନ ଜଳାଶୟକୁ ଆସୁଥିବା ପକ୍ଷୀମାନଙ୍କର ସୁରକ୍ଷା ପାଇଁ ଏହାର ଚାରିପଟେ ଥିବା ବିଭିନ୍ନ ଗ୍ରାମକୁ ନେଇ ବନ ସଂରକ୍ଷଣ ସମିତି ଓ ପରିବେଶ ଉନ୍ନୟନ କମିଟିମାନ ଗଠନ କରାଯାଇଥାଏ ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ।