ଜହ୍ନମାମୁ ଘରେ ଓହ୍ଲାଇବ ବିକ୍ରମ, ଘୂରିବୁଲିବ ପ୍ରଜ୍ଞାନ

ଜହ୍ନମାମୁ ଘରେ ଓହ୍ଲାଇବ ବିକ୍ରମ, ଘୂରିବୁଲିବ ପ୍ରଜ୍ଞାନ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୧ର ପୂର୍ଣ୍ଣ ସଫଳତା ଏବଂ ଚନ୍ଦ୍ରଯାନ-୨ର ଆଂଶିକ ସଫଳତା ପରେ ଚନ୍ଦ୍ରଯାନ-୩ର ପ୍ରେରଣ ଭାରତ ପାଇଁ ଗର୍ବ ଆଣିଛି। ଚନ୍ଦ୍ର ବା ଆକାଶର ଶଶୀ ନିକଟରେ ପହଞ୍ଚିବା ପାଇଁ ଏହି ଉଦ୍ୟମ ଦିନେ ସଫଳ ହେବ। ସୌର ଜଗତରେ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। ପୃଥିବୀ ପୃଷ୍ଠରୁ ପ୍ରାୟ ୩ ଲକ୍ଷ ୮୪ ହଜାର କିଲୋମିଟର ଦୂରରେ ଅବସ୍ଥିତ ଏହି ମହାଜାଗତିକ ବସ୍ତୁ ଆଦିମ ଯୁଗରୁ ଲୋକଙ୍କୁ ବିଭିନ୍ନ କାରଣରୁ ଆକର୍ଷିତ କରିଆସିଛି।

ବିଂଶ ଶତାବ୍ଦୀର ମଧ୍ୟଭାଗରୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସୋଭିଏତ ରୁଷ୍‌ ଭଳି ଆର୍ଥିକ ଓ ସାମରିକ ମହାଶକ୍ତି ଚନ୍ଦ୍ର ଓ ଅନ୍ତରୀକ୍ଷକୁ ନେଇ ବିଭିନ୍ନ ପରୀକ୍ଷାନିରୀକ୍ଷା କରି ମହାକାଶ ଶକ୍ତିରେ ବଳୀୟାନ ହେବାପାଇଁ ପ୍ରତିଯୋଗିତା ଆରମ୍ଭ କରିଦେଇଥିଲେ। ଏହି ଦୁଇ ଦେଶ ପରେ ଚୀନ, ଜାପାନ, ଭାରତ, ଦକ୍ଷିଣ କୋରିଆ, ଇସ୍ରାଏଲ, ଇଟାଲୀ, ଲକ୍‌ଜମ୍ବର୍ଗ, ସଂଯୁକ୍ତ ଆରବ ଏମିରେଟ୍‌ସ ଓ ୟୁରୋପୀୟ ମହାକାଶ ଏଜେନ୍ସି ଆଦି ଦେଶ ଓ ସଂସ୍ଥା ମହାକାଶ ଓ ଚନ୍ଦ୍ର ଅଭିଯାନ ଦୌଡ଼ରେ ସାମିଲ ହେ‌ାଇଥିଲେ। 

ପଚାଶ ଦଶକରୁ ଚନ୍ଦ୍ରକୁ ପ୍ରଥମେ ମାନବ ରହିତ ଏବଂ ମାନବ ଯୁକ୍ତ ଯାନ ପ୍ରେରଣ ଅଭିଯାନ ଜାରି ରହିଛି। ମାନବବିହୀନ ଯାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ୧୧ଟି ଦେଶ ସଫଳ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କେବଳ ଆମେରିକା ଚନ୍ଦ୍ରରେ ମହାକାଶଚାରୀଙ୍କୁ ନେବା ଆଣିବାରେ ସକ୍ଷମ ହୋଇଛି। ୧୨ ଜଣ ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇ ଏହି ଦେଶ ଏ କ୍ଷେତ୍ରରେ ତା’ର ଶକ୍ତି ଓ ସାମର୍ଥ୍ୟକୁ ପ୍ରଦର୍ଶନ କରିଛି। ‌

ସୋଭିଏତ ରୁଷ୍‌ ୧୯୫୯ ମସିହା ସେପ୍ଟେମ୍ବର ୧୩ ତାରିଖରେ ପ୍ରଥମେ ଚନ୍ଦ୍ରପୃଷ୍ଠରେ ମହାକାଶ ଯାନ ଅବତରଣ କରିଥିଲା। କିନ୍ତୁ, ଏହାର ୧୦ ବର୍ଷ ପରେ ୧୯୬୯ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ମହକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ ଏବଂ ଏଡ୍‌ୱିନ୍‌ ଆଲ୍‌ଡ୍ରିନଙ୍କୁ ଚନ୍ଦ୍ରପୃଷ୍ଠରେ ପହଞ୍ଚାଇ ବିରଳ ସଫଳତା ହାସଲ କରିଥିଲା।